ନୂଆଦିଲ୍ଲୀ: ଦକ୍ଷିଣ ଏସିଆ ଦେଶର ସଂଗଠନ ସାର୍କର ୨୦୧୪ ପରଠୁ ଆଉ କୌଣସି ବୈଠକ ହୋଇ ନାହିଁ । ଏହା ମଧ୍ୟରେ ଗତ ୧୧ ବର୍ଷରେ ଦୃଶ୍ୟପଟ୍ଟରେ ବହୁତ ପରିବର୍ତ୍ତନ ଆସିଛି । ବାଂଲାଦେଶରେ ଗତ ବର୍ଷ କ୍ଷମତା ପରିବର୍ତ୍ତନ ହୋଇଥିଲା ଏବଂ ତେବେଠୁ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଭାରତର ଶରଣରେ ଅଛନ୍ତି । ୧୯୭୧ରେ ଯେଉଁ ବାଂଲାଦେଶର ଗଠନରେ ଭାରତ ଯୋଗଦାନ ଦେଇଥିଲା । ସେଠାରେ ଏବେ ଚରମପନ୍ଥୀଙ୍କ ସମର୍ଥନରେ ମହମ୍ମଦ ୟୁନୁସଙ୍କ ସରକାର ରହିଛି । ଏବେ ବାଂଲାଦେଶ ଭାରତଠୁ ଦୂରେଇ ଦେଇ ପାକିସ୍ତାନର ନିକଟତର ହେବାରେ ଲାଗିଛି । ଏପରିକି ଭାରତଠୁ ଅଲଗା ସାର୍କ ପରି ଏକ ନୂଆ ସଂଗଠନ ଗଠନ କରିବାକୁ ଅଣ୍ଟା ଭିଡିଛି ପାକିସ୍ତାନ ଓ ବାଂଲାଦେଶ । ଏଥିରେ ଚୀନକୁ ସାମିଲ୍ କରିବା ପାଇଁ ପ୍ରସ୍ତୁତି ଚାଲିଛି ।
ଏହା ଜରିଆରେ ଭାରତକୁ ଘେରିବା ପାଇଁ ଯୋଜନା କରାଯାଉଛି । ଏମିତି ହେଲେ ଚୀନକୁ ସାଥୀରେ ଶକ୍ତି ବୃଦ୍ଧି କରାଯାଇ ପାରିବ । ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇଶାକ ଅହମ୍ମଦ ଡାର ଏହାର ସଙ୍କେତ ଦେଇଛନ୍ତି । ବାଂଲାଦେଶ ମଧ୍ୟ ସୂଚନା ଦେ ସାରିଛି ଯେ, ଭାରତ ପରିବର୍ତ୍ତେ ପାକିସ୍ତାନ ସହ ଯିବା ହିଁ ଶ୍ରେୟସ୍କର । କିନ୍ତୁ ନେପାଳ ଓ ଭୂଟାନ ପରି ଦେଶ ପାଇଁ ଭାରତକୁ ଛାଡି ପାକିସ୍ତାନ ସହ ଯିବା ସମ୍ଭବ ନୁହେଁ ।
ପାକିସ୍ତାନ କହିଥିଲା ଯେ, ବାଂଲାଦେଶ, ଚୀନ ସହିତ ଆମେ ଏକ ନୂଆ ତ୍ରିପକ୍ଷୀୟ ସହଯୋଗ ଆରମ୍ଭ କରୁଛି । ଏଥିରେ ଭବିଷ୍ୟତରେ ଆଉ କିଛି ଦେଶ ସାମିଲ୍ କରାଯାଇପାରେ । ବାଂଲାଦେଶ ଏଜେନ୍ସି ଅନୁସାରେ ଭବିଷ୍ୟତରେ ଆମେ ପାକିସ୍ତାନ ସହ ମିଶି ଆଗକୁ ବଢିବାର ସମ୍ଭାବନା ରହିଛି । ସୂଚନାଯୋଗ୍ୟ, ଅଗଷ୍ଟରେ ଇଶାକ ଅହମ୍ମଦ ଡାର ବାଂଲାଦେଶ ଗସ୍ତ କରିଥିଲା । ୧୩ ବର୍ଷ ପରେ ପ୍ରଥମ ଥର ପାକିସ୍ତାନର ନେତା ବାଂଲାଦେଶ ଗସ୍ତ କରିଥିଲେ । ଗତ କିଛି ମାସରେ ଦୁଇ ଥର ମହମ୍ମଦ ୟୁନୁସ ଓ ଶେହବାଜ ସରିଫଙ୍କ ମଧ୍ୟରେ ସାକ୍ଷାତ ହୋଇ ସାରିଛି । ମୋଟାମୋଟି ବାଂଲାଦେଶ ଏବେ ଭାରତଠୁ ଅଲଗା ହୋଇ ନୂଆ ମାର୍ଗରେ ଅଗ୍ରସର ହେଉଛି ।