ନୂଆଦିଲ୍ଲୀ: କେରଳ ପୌର ନିର୍ବାଚନରେ କଂଗ୍ରେସ ନେତୃତ୍ଵାଧୀନ ୟୁଡିଏଫ ଆଗରେ ରହିଛି। ହେଲେ ଶଶି ଥରୁରଙ୍କ ଲୋକସଭା କ୍ଷେତ୍ର ତିରୁଅନନ୍ତପୁରମରେ କଂଗ୍ରେସକୁ ପରାଜୟର ମୁହଁ ଦେଖିବାକୁ ପଡ଼ିଛି। ପ୍ରଥମରୁ ପାର୍ଟି ସହ ବିଦ୍ରୋହ ଆଭିମୁଖ୍ୟ ଆପଣେଇଥିବା ଥରୁରଙ୍କ ପାଇଁ ବଡ଼ ଝଟକା ବୋଲି କୁହାଯାଉଛି। ରାଜନୈତିକ ସମୀକ୍ଷକଙ୍କ ମତରେ ତିରୁଅନନ୍ତପୁରମ ପୌର ନିର୍ବାଚନରେ ପରାଜୟ ପରେ ବି ଦଳ ଯଦି ଥରୁରଙ୍କ ବିରୋଦରେ କାର୍ଯ୍ୟାନୁଷ୍ଠାନ ନ ନିଏ ତେବେ ସେ ଖୁସି ହେବେ। ପ୍ରକୃତରେ ଗତ କିଛି ମାସ ହେବ ଥରୁର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମର୍ଥନରେ ଅନେକ ଟିପ୍ପଣୀ କରି ଆସିଛନ୍ତି। କଂଗ୍ରେସ ବୈଠକରୁ ମଧ୍ୟ ଦୂରେଇ ରହୁଛନ୍ତି।
ତିରୁଅନନ୍ତପୁରମ ପୌର ନିର୍ବାଚନରେ ବିଜେପି ବଡ଼ ବିଜୟ ହାସଲ କରିଛି। ବିଜେପି ଓ ରାଜ୍ୟ ସଭାପତି ରାଜୀବ ଚନ୍ଦ୍ରଶେଖରନଙ୍କ ପାଇଁ ଶୁଭ ସଙ୍କେତ ବୋଲି କୁହାଯାଉଛି। ୨୦୨୪ ଲୋକସଭା ନିର୍ବାଚନରେ ରାଜୀବ କଂଗ୍ରେସ ନେତା ଶଶି ଥରୁରଙ୍କ ହାତରୁ ପରାଜିତ ହୋଇଥିଲେ। ମାତ୍ର ପୌର ନିର୍ବାଚନରେ ବିଜେପିର ବିଜୟ ରାଜୀବଙ୍କୁ ବଡ଼ ଆଶ୍ଵସ୍ତି ଦେଇଛି।
ଗତ ଏକ ବର୍ଷ ହେବ ଥରୁରଙ୍କ ସ୍ଵର ବଦଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସାଠୁ ନେଇ ରାହୁଲ ଗାନ୍ଧୀଙ୍କ ମିଟିଂରୁ ଦୂରେଇ ରହୁଛନ୍ତି ଥରୁର। କୁହାଯାଉଛି ସେ ନିଜର ବିକଳ୍ପ ଖୋଲା ରଖି ଚାଲୁଛନ୍ତି। ସ୍ଥାନୀୟ ପୌର ନିର୍ବାଚନ ପୂର୍ବରୁ ତାଙ୍କୁ ବୀର ସାଭରକର ପୁରସ୍କାର ଦେବାକୁ ଘୋଷଣା କରାଯାଇଛି । କିନ୍ତୁ ଥରୁର ଏହି ପୁରସ୍କାର ସ୍ୱୀକାର କରି ନାହାନ୍ତି ।
ପାର୍ଟି ଲାଇନଠୁ ଭିନ୍ନ ରାୟ ରଖୁଥିବା ଥରୁର ନିଜେ ମଧ୍ୟ ଜାଣିଥିବେ ଯେ, ଆଗକୁ ସେ କଣ କରିବେ । ପାର୍ଟି କୌଣସି ବି ମୁହୂର୍ତ୍ତରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ । ପ୍ରକୃତରେ ଥରୁରଙ୍କ ମହତ୍ୱାକାଂକ୍ଷା ହେଉଛି ରାଜ୍ୟରେ ବଡ ଭୂମିକା ଗ୍ରହଣ କରିବା । ମାତ୍ର ନିଜ ସଂସଦୀୟ କ୍ଷେତ୍ରରେ କଂଗ୍ରେସର ପରାଜୟ ପରେ ଏହା ଏତେ ସହଜରେ ଆଉ ମିଳିବ ନାହିଁ ।
Also read: ବାମଗଡ଼ରେ ଇତିହାସ ରଚିଲା ବିଜେପି, ଜିତିଲା ତିରୁଅନନ୍ତପୁରମ ନଗର ନିଗମ ନିର୍ବାଚନ