ନୂଆଦିଲ୍ଲୀ: ମୋଦୀ ସରକାର ଶୁକ୍ରବାର ମହାତ୍ମା ଗାନ୍ଧୀ ରାଷ୍ଟ୍ରୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ମନରେଗା)ର ନାଁ ବଦଳାଇ ଦେଇଛନ୍ତି। ଏବେ ଏହି ଯୋଜନା ପୂଜ୍ୟ ବାପୁ ଗ୍ରାମୀଣ ରୋଜଗାର ଯୋଜନା ନାଁରେ ନାମିତ କରାଯାଇଛି। ସୂତ୍ର ଅନୁସାରେ କେନ୍ଦ୍ରୀୟ କ୍ୟାବିନେଟ୍ ଶୁକ୍ରବାର ନାଁ ବଦଳାଇବା ଏବଂ କାର୍ଯ୍ୟ ଦିବସ ସଂଖ୍ୟା ବୃଦ୍ଧି କରିବା ବିଲ୍କୁ ମଞ୍ଜୁରୀ ଦେଇଛନ୍ତି।
ଏହି ଯୋଜନା ଆଧାରରେ ମିଳିବାକୁ ଥିବା ଫାଇଦାକୁ ମଧ୍ୟ ସରକାର ବଢାଇ ଦେଇଛନ୍ତି। ପିଟିଆଇ ଅନୁଯାୟୀ, ନାଁ ବଦଳାଇବା ସହିତ କାର୍ଯ୍ୟ ଦିବସ ସଂଖ୍ୟା ୧୦୦ରୁ ବଢାଇ ୧୨୫ କରି ଦିଆଯାଇଛି। ଅର୍ଥାତ ବର୍ଷରେ ଏବେ ୧୦୦ ଦିନ ବଦଳରେ ୧୨୫ ଦିନ ରୋଜଗାର ଗ୍ୟାରେଣ୍ଟି ମିଳିବ।
ମହାତ୍ମା ଗାନ୍ଧୀ ରାଷ୍ଟ୍ରୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଯାହାକୁ MGNREGA କିମ୍ବା ମନରେଗା ନାମରେ ପରିଚିତ। ସରକାରଙ୍କ ଏହା ହେଉଛି ପ୍ରମୁଖ ଯୋଜନା ମଧ୍ୟରୁ ଗୋଟିଏ। ଏହାର ଉଦ୍ଦେଶ୍ୟ ଗ୍ରାମାଞ୍ଚଳରେ ପରିବାରକୁ ଜୀବିକା ସୁରକ୍ଷା ନିଶ୍ଚିତ କରିବା। ଏହି ଯୋଜନା ୟୁପିଏ ସରକାରଙ୍କ ପ୍ରମୁଖ ଯୋଜନା ମଧ୍ୟରୁ ଗୋଟିଏ ଥିଲା। ଏହି ଯୋଜନା ୨୦୦୫ରୁ ଆରମ୍ଭ ହୋଇଥିଲା। ଏହି ଯୋଜନାରେ ସଂପ୍ରତି ୧୫ କୋଟିରୁ ଅଧିକ ଲୋକ କାମ କରୁଛନ୍ତି। ଏଥିରୁ ଏକ ତୃତୀୟାଂଶ ହେଉଛନ୍ତି ମହିଳା।
ମନମୋହନ ସରକାରଙ୍କ ଅମଳରେ ଆରମ୍ଭ ହୋଇଥିବା ଏହି ଯୋଜନାର ପ୍ରାରମ୍ଭିକ ନାଁ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଥିଲା। ଏହାକୁ ୨୦୦୯ରେ ମହାତ୍ମା ଗାନ୍ଧୀଙ୍କରେ ନାମକରଣ କରାଯାଇଥିଲା।
Also read: ଜନଗଣନା ଉପରେ ମୋଦୀ ସରକାରଙ୍କ ବଡ଼ ନିଷ୍ପତ୍ତି, ୧୧ ହଜାର ୭୧୮ କୋଟିର ବଜେଟ୍ ମଞ୍ଜୁର