ନୂଆଦିଲ୍ଲୀ: ମାଦ୍ରାସ ହାଇକୋର୍ଟର ଜଜ ଜେ ନିଶା ବାନୋ କେରଳ ହାଇକୋର୍ଟକୁ ସ୍ଥାନାନ୍ତର ହେବାର ପ୍ରାୟ ଦୁଇ ମାସ ପରେ ବି ପଦଭାର ଗ୍ରହଣ କରି ନାହାନ୍ତି । ଏହା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁ୍ର୍ମୁ ନିଶା ବାନୋଙ୍କୁ ୨୦୨୫ ଡିସେମ୍ବର ୨୦ ତାରିଖ ସୁଦ୍ଧା ପଦଭାର ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆଇନ ମନ୍ତ୍ରଣାଳୟ ଦ୍ୱାରା ଜାରି ଅଧିସୂଚନାରେ କୁହାଯାଇଛି ଯେ, ରାଷ୍ଟ୍ରପତି ଭାରତର ପ୍ରଧାନ ବିଚାରପତିଙ୍କ ସହ ପରାମର୍ଶ କରିବା ପରେ ମାଦ୍ରାସ ହାଇକୋର୍ଟର ବିଚାରପତି ଜେ ନିଶା ବାନୋଙ୍କୁ ୨୦୨୫ ଡିସେମ୍ବର ୨୦ ସୁଦ୍ଧା କେରଳ ହାଇକୋର୍ଟରେ ପଦଭାର ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
କେନ୍ଦ୍ର ସରକାର ବିଚାରପତି ବାନୋଙ୍କୁ ମାଦ୍ରାସ ହାଇକୋର୍ଟରୁ କେରଳ ହାଇକୋର୍ଟକୁ ସ୍ଥାନାନ୍ତର କରିବାର ଅଧିସୂଚନା ୨୦୨୫ ଅକ୍ଟୋବର ୧୪ ତାରିଖରେ ଜାରି କରିଥିଲେ । ତେବେ ପ୍ରାୟ ଦୁଇ ମାସ ପରେ ବି ସେ କେରଳ ହାଇକୋର୍ଟରେ କାର୍ଯ୍ୟଭାର ଗ୍ରହଣ କରି ନାହାନ୍ତି । ବାନୋଙ୍କ ଏହି ବିଳମ୍ବ କାରଣରୁ କେରଳ ହାଇକୋର୍ଟରେ ଉଦବେଗର ମାହୋଲ ପ୍ରକାଶ ପାଇଥିଲା ।
ବାରର ଟିପ୍ପଣୀ ଉପରେ ପ୍ରତିକ୍ରିୟା ଦେଇ ବିଚାରପତି ବାନୋ ଗତ ମାସରେ ଏକ ସମାଚାର ପତ୍ରକୁ କହିଥିଲେ ଯେ, ସେ ନିଜ ପୁଅଙ୍କ ବିବାହକୁ ଦୃଷ୍ଟିରେ ରଖି ମାଦ୍ରାସ ହାଇକୋର୍ଟରେ ଥିବା ଅବକାଶ ପାଇଁ ଆବେଦନ କରିଥିଲେ । ଏହା ସହିତ ସେ ନିଜର ଟ୍ରାନ୍ସଫର ଉପରେ ପୁନର୍ବିଚାର ପାଇଁ କରିଥିବା ଆବେଦନର ଉତ୍ତରକୁ ଅପେକ୍ଷା କରିଥିଲେ ।
ଏହି ପ୍ରସଙ୍ଗକୁ ନେଇ କଂଗ୍ରେସ ସାଂଦ କେଏମ ସୁଧା ଲୋକସଭାରେ ପ୍ରଶ୍ନ କରିଥିଲେ । ଉତ୍ତରରେ ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ କହିଛନ୍ତି ଯେ, ସମ୍ବିଧାନର ଅନୁଚ୍ଛେଦ ୨୧୭ ଆଧାରରେ ଜଣେ ଜଜଙ୍କୁ ଅନ୍ୟ ହାଇକୋର୍ଟରେ ଟ୍ରାନ୍ସଫର କରାଗଲେ ନିଜର ବର୍ତ୍ତମାନ ପଦ ଖାଲି କରିବା ଆବଶ୍ୟକ । ତେଣୁ ବାନୋଙ୍କୁ କେରଳ ହାଇକୋର୍ଟର ବିଚାରପତି ଦାୟିତ୍ୱ ଗ୍ରହଣ କରିବାକୁ ପଡିବ ।
Also read: ମେସିଙ୍କୁ ଦେଖିବା ପାଇଁ ଏତେ ମହଙ୍ଗା ଟିକେଟ୍ ! ଆପତ୍ତି ଉଠାଇଲେ ରାଜ୍ୟପାଳ, ମାଗିଲେ ରିପୋର୍ଟ