ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ଯୁଦ୍ଧ ସ୍ଥିତି ପାଇଁ ମଧ୍ୟପ୍ରାଚ୍ୟ ଦେଶ ଗୁଡ଼ିକରେ ସୋମବାର ପରୀକ୍ଷାକୁ ବାତିଲ କରିଛି । ମଧ୍ୟପ୍ରାଚ୍ୟରେ ଅନେକ ଦେଶରେ ଚାଲିଥିବା ଚଳିତ ବର୍ଷର ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ବାତିଲ କରିଛି । ବିଗୁଡୁଥିବା ସରୁକ୍ଷା ସ୍ଥିତିକୁ ଦେଖି ବୋର୍ଡ ଏହି ନିଷ୍ପତ୍ତି ନେଇଛି । ଫଳରେ ମାର୍ଚ୍ଚ ୨ ଅର୍ଥାତ ଆଜି ହେବାକୁ ଥିବା ସମସ୍ତ ପରୀକ୍ଷାକୁ ବାତିଲ କରାଯାଇଛି ।
ସିବିଏସଇ ତାର ଅଫିସିଆଲ୍ ଏକ୍ସ ଆକାଉଣ୍ଟରେ ପ୍ରେସ୍ ବିବୃତ୍ତି ଜାରି କରି ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ବାତିଲ ଘୋଷଣା କରିଛି । ସ୍ଥିତି ଠିକ୍ ହେବା ପରେ ପରୀକ୍ଷା ନେଇ ପରବର୍ତ୍ତୀ ତାରିଖ ଘୋଷଣା କରାଯିବ ବୋଲି କୁହାଯାଇଛି । ସେହିପରି ମାର୍ଚ୍ଚ ୫ ତାରିଖରେ ହେବାକୁ ଥିବା ପରୀକ୍ଷା ସମ୍ବନ୍ଧରେ ମାର୍ଚ୍ଚ ୩ ତାରିଖରେ ସୂଚିତ କରାଯିବ । ବାହରୀନ, ଇରାନ, କୁୱେତ, ଓମାନ, କତର, ସାଉଦୀ ଆରବ ଏବଂ ସଂଯୁକ୍ତ ଆରବ ଏମିରେଟରେ ଥିବା ବିଦ୍ୟାଳୟ ପାଇଁ ସିବିଏସଇ ଏହି ନିର୍ଦ୍ଦେଶନାମା ଜାରି କରିଛି । ତେବେ ସମସ୍ତ ପରୀକ୍ଷା ବାତିଲ ହୋଇ ନଥିବା ସିବିଏସଇ କହିଛି ।
ଚଳିତ ବର୍ଷ ସିବିଏସଇର ଦଶମ ଏବଂ ଦ୍ୱାଦଶ ପରୀକ୍ଷା ଫେବ୍ରୁଆରୀରୁ ଆରମ୍ଭ ହୋଇଥିଲା । ଦଶମ ଶ୍ରେଣୀ ପରୀକ୍ଷା ମାର୍ଚ୍ଚ ୧୦ ତାରିଖ ଯାଏ ଚାଲିବାକୁ ଥିଲା । ସେହିପରି ଦ୍ୱାଦଶ ଶ୍ରେଣୀ ପରୀକ୍ଷା ୧୦ ଏପ୍ରିଲ ପର୍ୟ୍ୟନ୍ତ ହେବାକୁ ଥିଲା ।
ପରୀକ୍ଷା ବାତିଲ ହେବା ପରେ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନେ ଚିନ୍ତାର ରହିଛନ୍ତି । ଆଗାମୀ ଦିନରେ ପରୀକ୍ଷା କେବେ ହେବ ତାହା ବର୍ତ୍ତମାନ ଚିନ୍ତାର କାରଣ । ଭୟାବହ ଯୁଦ୍ଧ ସ୍ଥିତି ଥିବାରୁ କେବେ ପରୀକ୍ଷା ହେବ ତାହା ଏବେ ବଡ଼ ପ୍ରଶ୍ନ ।