କୋଲକାତା: କୋଲକାତାରେ ପହଞ୍ଚିଛନ୍ତି ବିଶ୍ୱର ଖାତାନ୍ୟାମା ତାରକା ଫୁଟବଲ ଖେଳାଳି ଲିଓନେଲ ମେସି । ତାଙ୍କୁ ନେଇ କୋଲାକାତା ସହରରେ ଦର୍ଶକ ଓ ପ୍ରଶଂସକଙ୍କ ମଧ୍ୟରେ ନାହିଁ ନ ଥିବା ଉତ୍ସାହ ଦେଖିବାକୁ ମିଳିଛି । ତାଙ୍କ ଝଲକ ଟିକେ ପାଇବା ପାଇଁ ପ୍ରଶଂସକଙ୍କ ଉତ୍କଣ୍ଠା ଲାଗି ରହିଥିଲା । ଏହା ମଧ୍ୟରେ ପଶ୍ଚିମବଙ୍ଗର ରାଜ୍ୟପାଳ ସି ଭି ଆନନ୍ଦ ବୋସ ଆର୍ଜେଣ୍ଟିନାର ଏହି ଷ୍ଟାର ଖେଳାଳିଙ୍କ କାର୍ଯ୍ୟକ୍ରମକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଏହା ଉପରେ ସେ ରାଜ୍ୟ ସରକାରଙ୍କଠୁ ବିସ୍ତୃତ ରିପୋର୍ଟ ମାଗିଛନ୍ତି ।
ଅଧିକାରୀ କହିଛନ୍ତି ଯେ, ଅନେକ ଫୁଟବଲେ ପ୍ରେମୀ ଟିକେଟ୍ ମୂଲ୍ୟ ବହୁତ ମହଙ୍ଗା ଥିବା ରାଜ୍ୟପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ଟିକେଟ୍ ଏତେ ମହଙ୍ଗା ଯେ, ଫୁଟବଲ ପ୍ରେମୀ ନିଜ ପସନ୍ଦର ଖେଳାଳିଙ୍କୁ ଦେଖିବାର ସୁଯୋଗ ପାଇଲେ ନାହିଁ । ଏହି ଅଭିଯୋଗ ଆଧାରରେ ରାଜ୍ୟପାଳ ମମତା ସରକାରଙ୍କୁ ରିପୋର୍ଟ ମାଗିଛନ୍ତି ।
ରାଜ୍ୟପାଳ ବୋସ ମେସିଙ୍କ କୋଲାକାତା ଯାତ୍ରାରେ ରାଜ୍ୟ ସରକାରଙ୍କ ଭୂମିକା ଉପରେ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି, ସାଧାରଣ ଜନତାଙ୍କ ଭାବନାର ମୂଲ୍ୟ ଉପରେ ଅର୍ଥ ରୋଜଗାର କରିବା ପାଇଁ ଅନୁମତି କିଏ ଦେଇଛି । ଲୋକଭବନର ଜଣେ ଅଧିକାରୀ କହିଛନ୍ତି ଯେ, ଲୋକ ଭବନକୁ ଫୁଟବଲ ପ୍ରେମୀଙ୍କ ଅନେକ ଫୋନ କଲ୍ ଏବଂ ଇମେଲ୍ ଆସିଥିଲା । ଏଥିରେ ଅଭିଯୋଗ କରାଯାଇଥିଲା ଯେ, ମେସିଙ୍କ ମ୍ୟାଚ୍ ଟିକେଟ୍ ମୂଲ୍ୟ ଏତେ ମହଙ୍ଗା ଯେ, ସେମାନେ ଚାହିଁଲେ ବି କିଣି ପାରିବେ ନାହିଁ । ରାଜ୍ୟପାଳ ଜାଣିବାକୁ ଚାହିଁଛନ୍ତି ଯେ, ଏମିତି କାହିଁକି କରାଗଲା ।
ମେସି ସଲ୍ଟ ଲେକ୍ ଷ୍ଟାଡିୟମରେ ଆୟୋଜିତ ଏକ ସମ୍ମାନ ସମାରୋହରେ ଯୋଗ ଦେବେ । ଏଥିରେ ସଙ୍ଗୀତ, ନୃତ୍ୟ କାର୍ଯ୍ୟକ୍ରମ ସହିତ ମୋହନ ବାଗ ମେସି ଅଲ ଷ୍ଟାର୍ସ ଓ ଡାଇମଣ୍ଡ ମେସି ଅଲ ଷ୍ଟାର୍ସ ମଧ୍ୟରେ ଏକ ପ୍ରଦର୍ଶନୀ ମ୍ୟାଚ୍ ଖେଳାଯିବ । ଅଧିକାରୀ କହିଛନ୍ତି, ରାଜ୍ୟପାଳ ଏହା ଜାଣି ଚକିତ ଯେ, କେବଳ ଯିଏ ଅଧିକ ଦାମ ଦେଇ ଟିକେଟ୍ କିଣି ପାରିବ ସେ ହିଁ ପ୍ରସିଦ୍ଧ ଫୁଟବଲ ଖେଳାଳି ମେସିଙ୍କୁ ଦେଖି ପାରିବ ।
ସେ କହିଛନ୍ତି, ରାଜ୍ୟପାଳ ରାଜ୍ୟ ସରକାରଙ୍କୁ ଚିଠି ଲେଖି ସେହି ବ୍ୟକ୍ତି ଓ ସଂସ୍ଥାର ବିସ୍ତୃତ ରିପୋର୍ଟ ମାଗିଛନ୍ତି, ଯିଏ ମେସିଙ୍କ ଗସ୍ତରୁ ଫାଇଦା ଉଠାଇ ମୋଟା ଅଙ୍କର ଅର୍ଥ ରୋଜଗାର କରୁଛନ୍ତି । ସାଧାରଣ ଲୋକଙ୍କୁ ମେସିଙ୍କୁ ଦେଖିବା ପାଇଁ କାହିଁକି ରୋକା ଯାଉଛି । ମେସି ଶନିବାର ନିଜର ଜିଓଏଟି ଭାରତ ଗସ୍ତ-୨୦୨୫ର ଆରମ୍ଭ ପ୍ରାୟୋଜକଙ୍କ ସହିତ ଏକ ଅଭିନନ୍ଦନ କାର୍ଯ୍ୟକ୍ରମ ଜରିଆରେ କରିବେ । ଏହା ପରେ ସଲ୍ଟ ଲେକ ଷ୍ଟାଡିୟମରେ ଆୟୋଜିତ ସମାରୋହରେ ଯୋଗ ଦେବେ ।
ମେସି ଦୀର୍ଘ ସମୟ ଧରି ନିଜର ଷ୍ଟ୍ରାଇକ ପାର୍ଟନର ଲୁଇସ ସ୍ୱରାଜେ ଓ ଆର୍ଜେଣ୍ଟିନାର ସାଥୀ ଖେଳାଳି ରୋଡ୍ରିଗ ଡି ପଲଙ୍କ ସହିତ କୋଲକାତା ପହଞ୍ଚିଛନ୍ତି । ଏହି ତିନି ଫୁଟବଲ ତାରକା କୋଲକାତାରେ ଶାହରୁଖ ଖାନଙ୍କ ଆୟୋଜିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହା ସହିତ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ଏହି କାର୍ଯ୍ୟକ୍ରମରେ ନିମନ୍ତ୍ରିତ କରାଯାଇଛି ।