ଭୁବନେଶ୍ଵର: ବର୍ଦ୍ଧିତ ଦରମା ନେବେନି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।ବର୍ଦ୍ଧିତ ଦରମାକୁ ଗରିବ ଲୋକଙ୍କ ପାଇଁ ଖର୍ଚ୍ଚ କରାଯାଉ ବୋଲି କହିଛନ୍ତି ନବୀନ। ଏ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଶନିବାର ଚିଠି ଲେଖିଛନ୍ତି। ଏକ୍ସରେ ଚିଠିକୁ ସେୟାର କରି ଏହାର ସୂଚନା ଦେଇଛନ୍ତି ନବୀନ। ଉଲ୍ଲେଖନୀୟ ଓଡ଼ିଶା ବିଧାୟକଙ୍କ ଦରମା ଦେଶର ସମସ୍ତ ରାଜ୍ୟକୁ ଟପି ଯାଇଛି। ଏହାକୁ ନେଇ ରାଜ୍ୟରେ ବଡ଼ ବିତର୍କର ବିଷୟ ପାଲଟିଛି।
ସେ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, ଗତ ୨୫ ବର୍ଷରୁ ଅଧିକ ସମୟ ଧରି ଓଡ଼ିଶା ଲୋକଙ୍କ ପ୍ରେମ, ସ୍ନେହ ଏବଂ ସମର୍ଥନରେ ମୁଁ ଆଶୀର୍ବାଦ ପାଇଛି। ମୁଁ ଓଡ଼ିଶାବାସୀଙ୍କ ପ୍ରତି ଏବଂ ମୋ ପ୍ରତି ଏବଂ ମୋର ସ୍ଵର୍ଗତପିତା ବିଜୁ ପଟ୍ଟନାୟକଙ୍କ ପ୍ରତି ସେମାନଙ୍କର ପ୍ରେମ ପାଇଁ ଅତ୍ୟନ୍ତ ଋଣି।ପୂର୍ବରୁ ଆମର ପରିବାର କଟକରେ ଥିବା ପୈତୃକ ସମ୍ପତ୍ତି 'ଆନନ୍ଦ ଭବନ' ଦାନ କରିବାକୁ ନିଷ୍ପତ୍ତି ନେଇଥିଲା।
ତେଣୁ ସମାନ ଭାବନାରେ ମୁଁ ବିରୋଧୀ ଦଳ ନେତାଙ୍କ ପାଇଁ ବୃଦ୍ଧି କରାଯାଇଥିବା ଦରମା ଏବଂ ଭତ୍ତା ତ୍ୟାଗ କରିବାକୁ ଚାହୁଁଛି ଯାହାକୁ ଓଡ଼ିଶା ବିଧାନସଭା ନିକଟରେ ପାରିତ କରିଛି। ଏନେଇ ମୁଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଅନୁରୋଧ କରି ଏହି ବର୍ଦ୍ଧିତ ଦରମାକୁ ଆମ ରାଜ୍ୟର ଗରିବ ଲୋକଙ୍କ କଲ୍ୟାଣ ପାଇଁ ବ୍ୟବହାର କରନ୍ତୁ ବୋଲି କହିଛି।
ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଦରମା ସହ ଅନ୍ୟାନ୍ୟ ଭତ୍ତା ମିଶାଇ ପାଇବେ ୩ ଲକ୍ଷ ୭୪ ହଜାର ଟଙ୍କା। ସେହିପରି ବିଧାୟକମାନେ ୩ ଲକ୍ଷ ୪୫ ହଜାର, ବାଚସ୍ପତି ଓ ଉପ ମୁଖ୍ୟମନ୍ତ୍ରୀ ୩ ଲକ୍ଷ ୬୮ ହଜାର, ଉପ ବାଚସ୍ପତି ଓ ଉପ ରାଷ୍ଟ୍ରମନ୍ତ୍ରୀ ୩ ଲକ୍ଷ ୫୬ ହଜାର ଟଙ୍କା । ସେହିଭଳି କ୍ୟାବିନେଟ ମନ୍ତ୍ରୀ, ବିରୋଧୀ ଦଳ ନେତା, ସରକାରୀ ଉପ ମୁଖ୍ୟ ସଚେତକ ୩ ଲକ୍ଷ ୬୨ ହଜାର ଦରମା ପାଇବେ । ଉପ ମୁଖ୍ୟ ସଚେତକ ୩ ଲକ୍ଷ ୫୦ ହଜାର ଟଙ୍କା ଦରମା ପାଇବେ ।
Also read: ମହାନଦୀ ଜଳ ବିବାଦ: ଆସନ୍ତା ୨୨ରେ କମିଟିର ପ୍ରଥମ ବୈଠକ