ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନକୁ ନେଇ ଚିତ୍ର ଧିରେ ଧିରେ ସ୍ପଷ୍ଟ ହେଉଛି । ବିଜେଡ଼ି ସମର୍ଥିତ ଚତୁର୍ଥ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ କଂଗ୍ରେସ ତାର ସମର୍ଥନ ଜଣାଇବ ବୋଲି ପ୍ରତିଶ୍ରୁତି ଦେଇଛି । ଅର୍ଥାତ ଆନୁଷ୍ଠାନିକ ଭାବେ ଡାକ୍ତର ହୋତା କମନ୍ ପ୍ରାର୍ଥୀ ହୋଇଛନ୍ତି । ଏହା ପରେ କଂଗ୍ରେସକୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ଡାକ୍ତର ହୋତା ।
ଆଜି ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଏଥିରେ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ୱର ହୋତା ଏବଂ ସମସ୍ତ କଂଗ୍ରେସ ବିଧାୟକମାନେ ଉପସ୍ଥିତ ଥିଲେ । କେବଳ ରମେଶ ଜେନା ଏବଂ ସୋଫିଆ ଫିର୍ଦ୍ଦୋସ ଉପସ୍ଥିତ ନ ଥିଲେ । ପିସିସି ସଭାପତି ଭକ୍ତ ଚରଣ ଦାସ ମଧ୍ୟ ଥିଲେ । ଡାକ୍ତର ହୋତା ସମସ୍ତ ବିଧାୟକଙ୍କ ସମର୍ଥନ ଲୋଡ଼ିଥିଲେ । ଏହା ପରେ ସେ ସମସ୍ତ କଂଗ୍ରେସ ଦଳକୁ ଧନ୍ୟବାଦ ଜଣାଇଛନ୍ତି । କଂଗ୍ରେସ ପ୍ରଭାରୀ, ସହ ପ୍ରଭାରୀ, ପିସିସି ସଭାପତି ଏବଂ ସମସ୍ତ ବିଧାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କୌଣସି ଦଳରୁ ନୁହେଁ ବରଂ ଲୋକଙ୍କ ସେବା କରିବା ପାଇଁ ଲଢ଼ିବେ ବୋଲି କହିଛନ୍ତି । ଆଗାମୀ ଦିନରେ ସମସ୍ତ ବିଧାୟକଙ୍କୁ ବ୍ୟକ୍ତିଗତ ଭାବେ ଭେଟିବେ ବୋଲି କହିଛନ୍ତି ।
ସେପଟେ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ କଂଗ୍ରେସ ଡାକ୍ତର ହୋତାଙ୍କୁ ସମର୍ଥନ କରିବ । ରମେଶ ଜେନା ବାଟରେ ଥିବା କହିଛନ୍ତି ତାରା । କିନ୍ତୁ ସୋଫିଆଙ୍କ ବାବଦରେ ସେ କିଛି ଜାଣିନଥିବା କହିଛନ୍ତି ।
ବିଧାନସଭାରେ ବିଜେଡ଼ିର ୪୮ ବିଧାୟକ ଅଛନ୍ତି । ସେଥିମଧ୍ୟରୁ ୩୦ ବିଧାୟକ ଜଣଙ୍କୁ ଅର୍ଥାତ ସଂତୃପ୍ତ ମିଶ୍ରଙ୍କୁ ଭୋଟ୍ ଦେବେ । ଚତୁର୍ଥ ପ୍ରାର୍ଥୀ ପାଇଁ ଆଉ ୩୦ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ । ବିଜେଡ଼ିର ବଳକା ୧୮ ବିଧାୟକ ଏବଂ କଂଗ୍ରେସର ୧୪ ଜଣ ବିଧାୟକ ଡାକ୍ତର ହୋତାଙ୍କୁ ସମର୍ଥନ କରିବେ ବୋଲି ସହମତି ଦେଖାଇଛନ୍ତି ।