ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଲାଗି ରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସାରା ବିଶ୍ୱକୁ ଦୋହଲାଇ ଦେଇଛି । ଏହାରି ମଧ୍ୟରେ ଆଫଗାନିସ୍ତାନ ଏବଂ ପାକିସ୍ତାନ ଯୁଦ୍ଧ ମଧ୍ୟ ଜାରି ରହିଛି । ଯେଉଁ ନୁର୍ ଖାନ୍ ଏୟାର ବେସରେ ଅପରେସନ୍ ସିନ୍ଦୂର ବେଳେ ଭାରତ ତାଣ୍ଡବ କରିଥିବା ଏବେ ପୁଣି ଥରେ ତାଲିବାନ ସେଠି ଧ୍ୱଂସ ଲୀଳା ରଚିଛି ।
ଆଫଗାନିସ୍ତାନ ପ୍ରତିରକ୍ଷା ମନ୍ତ୍ରାଳୟ ଏକ ପ୍ରେସ୍ ବିବୃତ୍ତି ଜାରି କରି ଦାବି କରିଛି ଯେ ପାକିସ୍ତାନର ସୈନ୍ୟ ଠିକଣା ଉପରେ ଅଭିଯାନ ଆରମ୍ଭ କରିଛି । ଯେଉଁଥିରେ ରାୱଲପିଣ୍ଡିର ନୁର୍ ଖାନ୍ ଏୟାର ବେସ୍, କ୍ୱେଟାରେ ଥିବା ବେଲୁଚିସ୍ତାନର ୧୨ତମ ଡିଭିଜନର ମୁଖ୍ୟାଳୟ, ଫଖତୁନଖ୍ୱା ମହମ୍ମଦ ଏଜେନ୍ସିରେ ଥିବା ଖ୍ୱାଜଈ କ୍ୟାମ୍ପ୍ ଏବଂ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସେନା ଠିକଣାରେ ଆକ୍ରମଣ ହୋଇଛି । ଏହା ପାକିସ୍ତାନ ଏୟାର ଷ୍ଟ୍ରାଇକର ଜବାବ ବୋଲି ଆଫଗାନିସ୍ତାନ କହିଛି ।
ଏହାକୁ ନେଇ ସାମାଜିକ ଗଣମାଧ୍ୟମରେ ପାକିସ୍ତାନର ମଜା ଉଡ଼ାଉଛନ୍ତି ୟୁଜର୍ସ । କେହି କେହି କହୁଛନ୍ତି ଅପରେସନ୍ ସିନ୍ଦୂରରେ ଭାରତୀୟ ଆକ୍ରମଣ ପରେ ସିମେଣ୍ଟ ସୁଖି ନ ଥିବାବେଳେ ଆଫଗାନିସ୍ତାନ ପୁଣି ଗାତ ଖୋଳିଦେଲା । ଆଫଗାନିସ୍ତାନର ଆକ୍ରମଣ ପରେ ନୁର ଖାନ୍ ଏୟାର ବେସର ମରାମତି କାର୍ୟ୍ୟ ପୁଣି ଥରେ ଅଟକି ଯାଇଛି ।
ନୁର୍ ଖାନ୍ ଏୟାରବେସ୍ ରାୱଲପିଣ୍ଡିର ସହରର ସବୁଠାରୁ ନିକଟତମ ଅଟେ । ଏହା ପାକିସ୍ତାନ ବାୟୁ ସେନାର ସବୁଠାରୁ ବଡ଼ ଏୟାର ବେସ୍ ଅଟେ । ଏଠାରେ କମାଣ୍ଡୋ ସେଣ୍ଟର୍, ଫାଇଟର୍ ଜେଟ୍ସ, ଟ୍ରାନ୍ସପୋର୍ଟ ଏବଂ ଗୋଳାବାରୁଦ ଗୋଦାମ ରହିଛି ।
୨୦୨୫ର ମେ ମାସରେ ଭାରତ ଆରମ୍ଭ କରିଥିବା ଅପରେସନ୍ ସିନ୍ଦୂର ବେଳେ ମଧ୍ୟ ନୁର୍ ଖାନ୍ ଏୟାର ବେସକୁ ଟାର୍ଗେଟ୍ କରାଯାଇଥିଲା । ଭାରତୀୟ ବାୟୁ ସେନା ଏୟାର ଷ୍ଟ୍ରାଇକ୍ ମାଧ୍ୟମରେ ସେଠାରେ ତାଣ୍ଡବ ରଚିଥିଲା । ଆଫଗାନିସ୍ତାନ ମଧ୍ୟ ଏହାର ଫାଇଦା ଉଠାଉଥିବା କୁହାଯାଉଛି ।