ଭୁବନେଶ୍ୱର ; ରାଜଧାନୀରେ ସକାଳୁ ସକାଳୁ ପ୍ରବଳ କୁହୁଡି। ଏଥିପାଇଁ ଦୃଶ୍ୟମାନ ହେଉନି ୫୦ ମିଟର ରାସ୍ତା। ଏହି ଘନ କୁହୁଡି ଫଳରେ ଅନେକ ସ୍ଥାନରେ ଦୁର୍ଘଟଣା ଘଟିବାର ସମ୍ଭାବନା ମଧ୍ୟ ରହୁଛି। ତେବେ ରାଜ୍ୟରେ ପ୍ରତିଦିନ ସକାଳୁ ଶୀତ ଅନୁଭୂତ ହେଉଥିବା ବେଳେ ଦିନ ୧୦ ବେଳୁ ଅସହ୍ୟ ତାତି ଅନୁଭୂତ ହେଉଛି। ଯାହାଫଳରେ ଉଭୟ ଥଣ୍ଡା ଏବଂ ଗରମ ଅନୁଭୂତ କରୁଛନ୍ତି ଓଡ଼ିଶାବାସୀ। ତେବେ ଶନିବାର ରାତିରେ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲା ଗୁଡିକର ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକ ଠାରୁ ପ୍ରାୟ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିଛି।
ତେବେ ରାଜ୍ୟରେ ଏହି ତାପମାତ୍ରା ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏହାସହିତ ଏବେ ସର୍ବାଧିକ ତାପମାତ୍ରା ୩୬ ଡିଗ୍ରୀ ଓ ସର୍ବନିମ୍ନ ତାପମାତ୍ରା ୨୦ ଡିଗ୍ରୀ ମଧ୍ୟରେ ରହିବ ବୋଲି ପୂର୍ବାନୁମାନ କରାଯାଇଛି। ତେବେ ଆସନ୍ତା ୬ ରୁ ୭ ଦିନ ମଧ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ରାଜ୍ୟରେ ଏହି ତାପମାତ୍ରା ଜାରି ରହିବ। ଏଥିସହ ରାଜ୍ୟରେ ଦିନରେ ପାଗ ଶୁଖିଲା ଓ ଖରାଟିଆ ରହିବ। ଏପରିକି ସକାଳୁ ସକାଳୁ ଅଳ୍ପ ମାତ୍ରାରେ ଥଣ୍ଡା ଅନୁଭୂତ ହୋଇପାରେ କିନ୍ତୁ ପାରଦ ସ୍ତର ବଢ଼ିବାର ସମ୍ଭାବନ ଅଧିକ ରହିଛି କମିବାର ନୁହେଁ।