ପୁରୀ: ଗୋବିନ୍ଦ ଦ୍ୱାଦଶୀ ଭଳି ଏକ ପବିତ୍ର ଦିନରେ ବୁଡ଼ ପକାଇ ଟିକେ ମହାପ୍ରସାଦ ପାଇପାରିଲେ ନାହିଁ ଶ୍ରଦ୍ଧାଳୁ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦ୍ୱିତୀୟ ଭୋଗ ମଣ୍ଡପ ନୀତିରେ ଅହେତୁକ ବିଳମ୍ବ ଯୋଗୁଁ ୪ ଘଣ୍ଟା ପରେ ଅବଢ଼ା ମହାପ୍ରସାଦ ବାହାରିଛି । ଯାହାକୁ ନେଇ ଶ୍ରଦ୍ଧାଳୁଙ୍କ ମନରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।
ଆଜି ଗୋବିନ୍ଦ ଦ୍ୱାଦଶୀ ବୁଡ଼ ଥିଲା । ଶ୍ରଦ୍ଧାଳୁମାନେ ମହୋଦଧିରେ ବୁଡ଼ ପକାଇ ମହାପ୍ରଭୁଙ୍କ ଦର୍ଶନ ସାରି ମହାପ୍ରସାଦ ପାଇବାକୁ ଚାତକ ଭଳି ଚାହିଁ ବସିଥାଆନ୍ତି । କିନ୍ତୁ ସେବାୟତ ଗୋଷ୍ଠୀ ମଧ୍ୟରେ ବିବାଦ ଯୋଗୁଁ ଦ୍ୱିତୀୟ ଭୋଗ ମଣ୍ଡପ ଧୂପ ସନ୍ଧ୍ୟାରେ ଲାଗି ହୋଇଥିଲା । ଦିନ ୨ଟାରୁ ଅଢ଼େଇଟା ବଦଳରେ ପ୍ରାୟ ୪ ଘଣ୍ଟା ବିଳମ୍ବରେ ସନ୍ଧ୍ୟା ସାଢ଼େ ୬ଟା ସମୟରେ ଶ୍ରଦ୍ଧାଳୁମାନେ ଅବଢ଼ା ମହାପ୍ରସାଦ ପାଇଥିଲେ ।
ଚନ୍ଦ୍ର ଗ୍ରହଣ ପାଇଁ ଆସନ୍ତାକାଲି ଏବଂ ପରଦିନ ଅର୍ଥାତ୍ ରବିବାର ଏବଂ ସୋମବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଭିତରକାଠ ଦର୍ଶନ ବନ୍ଦ ରହିବ । ଯାହାକୁ ନେଇ ସେବାୟତ ଗୋଷ୍ଠୀ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ମେକାପ ଓ ଖୁଣ୍ଟିଆ ସେବାୟତ ଭିତରକାଠ ଦର୍ଶନ ପାଇଁ ଅଡ଼ିବସିଥିଲେ । ଯେଉଁଥିପାଇଁ ବିବାଦ ଆରମ୍ଭ ହୋଇଥିଲା । ଫଳରେ ଦ୍ୱିତୀୟ ଭୋଗ ମଣ୍ଡପ ନୀତିରେ ବିଳମ୍ବ ହୋଇଥିବା ଜଣାପଡ଼ିଛି ।
ତେବେ ନୀତିକାନ୍ତି ବିଳମ୍ବ ନେଇ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ପକ୍ଷରୁ କୌଣସି ସୂଚନା ହସ୍ତଗତ ହୋଇନାହିଁ ।