ଭୁବନେଶ୍ୱର: ପ୍ରଭାତ ବିଶ୍ୱାଳ ନବୀନ ପଟ୍ଟନାୟକଙ୍କୁ ପ୍ରଶ୍ନ ପଚାରିବାକୁ କିଏ ? ପ୍ରଭାତ ଜଣେ ଅକୃତଜ୍ଞ ଲୋକ । ସିଏ ଆମ ଦଳର କିଏ ? ଶନିବାର ପ୍ରଭାତ ବିଶ୍ୱାଳଙ୍କୁ ଏମିତି ପ୍ରଶ୍ନ କରିବା ସହିତ ନାଲି ବାବା ଓ ଚିଟ୍ ଫଣ୍ଡ୍ ଚୋର ବୋଲି କହି ତାଚ୍ଛଲ୍ୟ କରିଛନ୍ତି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ।
ନବୀନ ନିବାସରେ ନବୀନଙ୍କୁ ପ୍ରଶ୍ନ କରିବା ଉପରେ ଦେବାଶିଷ ସାମନ୍ତରାୟ ପ୍ରଭାତଙ୍କ ଉପରେ ବର୍ଷିଛନ୍ତି । ସେ ପ୍ରଶ୍ନ କରିଛନ୍ତି ପ୍ରଭାତ ଦଳର କିଏ । ଆଜି ଯେଉଁ ବୈଠକ ହୋଇଥିଲା ସେଠାରେ ତାଙ୍କର କୌଣସି କାମ ନ ଥିଲା । ତାଙ୍କ ପୁଅ ବିଧାୟକ ହିସାବରେ ଯାଇଥିଲେ । ସର୍ବସହମତିରେ ପିଏସି ନବୀନ ପଟ୍ଟନାୟକଙ୍କୁ ପ୍ରାର୍ଥୀ ବାଛିବାକୁ ଦାୟିତ୍ୱ ଦେଇଥିଲା । ପ୍ରଭାତ ନବୀନଙ୍କୁ ପ୍ରଶ୍ନ କରିବାକୁ କିଏ । ପ୍ରତାପ ନଗରୀରେ ପ୍ରଭାତ ନବୀନ ପଟ୍ଟନାୟକଙ୍କ କାର୍ କାଚ ମଧ୍ୟ ଭାଙ୍ଗିଥିଲେ । ପ୍ରଭାତ ପ୍ୟାରୀବାବୁଙ୍କ ସହିତ ମିଡ୍ ନାଇଟ୍ ଅପରେସନରେ ସାମିଲ ହୋଇ ଦଳ ସହିତ ବିଶ୍ୱାସଘାତକତା କରିଥିଲେ । ନବୀନ ପଟ୍ଟନାୟକ ସବୁ କ୍ଷମା କରି ତାଙ୍କ ଉପରେ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିଥିଲେ । ସେ ବିଧାୟକ ହୋଇଥିଲେ । କଟକରେ ସେ ଚିଣ୍ଡଫଣ୍ଡ୍ ଚୋର ନାମରେ ପରିଚିତ । ତା ପରେ ମଧ୍ୟ ତାଙ୍କ ପୁଅକୁ ନବୀନ ଦୁଇ ଥର ବିଧାୟକ ଟିକେଟ୍ ଦେଇଥିଲେ । ପ୍ରଭାତ ଜଣେ ଅକୃତଜ୍ଞ ଲୋକ । ଲୋକେ ତାଙ୍କୁ ଚିହ୍ନନ୍ତୁ ବୋଲି ଦେବାଶିଷ କହିଛନ୍ତି ।
ଆଜି ଯେଉଁ ଘଟଣା ଘଟିଛି ତାହାକୁ ଦଳରେ ସହଜରେ କେହି ଗ୍ରହଣ କରିପାରିବେ ନାହିଁ । ସଂତୃପ୍ତ ମିଶ୍ର ଏବଂ ଡାକ୍ତର ଦତ୍ତେଶ୍ୱର ହୋତା ଉଭୟ କଟକର ବ୍ୟକ୍ତି । କଟକର ନେତା ହୋଇକି କଟକ ପ୍ରାର୍ଥୀଙ୍କ ସ୍ୱାଗତ ନ କରିବା ଦ୍ୱାରା ପ୍ରଭାତଙ୍କ ଚରିତ୍ର ସ୍ପଷ୍ଟ ହୋଇଯାଉଛି । ତାଙ୍କୁ ନବୀନ ନିବାସରୁ ଧକ୍କା ନୁହେଁ ତଣ୍ଟିଆ ମାରି ବାହାର କରିବା ଉଚିବ ବୋଲି ଦେବାଶିଷ କହିଛନ୍ତି ।