ଭୁବନେଶ୍ୱର: ବିଜୁ ଜନତା ଦଳର ଇତିହାସରେ ଯାହା ଘଟିନଥିଲା ଆଜି ନବୀନ ନିବାସରେ ତାହା ଘଟିଥିଲା । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ପ୍ରଶ୍ନ କରିବା ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି । ଶନିବାର ଦଳର ସଭାପତି ପ୍ରଭାତଙ୍କୁ ଦଳରୁ ବହିଷ୍କାର କରିଛନ୍ତି । ଦଳ ବିରୋଧୀ କାର୍ଯ୍ୟ ଏବଂ ବିଶୃଙ୍ଖଳିତ ଆଚରଣ ପାଇଁ ନବୀନ ତାଙ୍କୁ ବହିଷ୍କୃତ କରିଛନ୍ତି ।
ଆଜି ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ ଘୋଷଣା ବେଳେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଥିଲା । ପ୍ରାର୍ଥୀ ଘୋଷଣା ପାଇଁ ସମସ୍ତ ବିଧାୟକ ଏବଂ ନେତାଙ୍କୁ ଡକାଯାଇଥିଲା । ବିଧାୟକ ନ ଥିବା ପ୍ରଭାତ ବିଶ୍ୱାଳ ପୁଅ ସୌଭିକ ବିଶ୍ୱାଳଙ୍କ ସହିତ ନବୀନ ନିବାସରେ ପହଁଚିଥିଲେ । ସୁପ୍ରିମୋ ନବୀନ ଘୋଷଣାନାମା ପଢ଼ୁଥିବା ବେଳେ ହଠାତ୍ ପ୍ରଭାତ ନିଜ ଆସନରେ ଥାଇ ଗୋଟିଏ ମିନିଟ୍ କହିବାକୁ ଅନୁମତି ମାଗିଥିଲେ । କିନ୍ତୁ ପରେ ଆଲୋଚନା କରିବା ବୋଲି କହିଥିଲେ ନବୀନ । ପ୍ରଭାତ ସଂତୃପ୍ତ ମିଶ୍ରଙ୍କ ପ୍ରାର୍ଥୀତ୍ୱକୁ ନେଇ ପ୍ରଶ୍ନ ଉଠାଇଥିଲେ । ଯାହାକୁ ପ୍ରାର୍ଥୀ କରାଯାଉଛି ତାହା ଠିକ୍ ନୁହେଁ । ଏହି ସମୟରେ ନବୀନ ପ୍ରଭାତଙ୍କୁ ପ୍ରଶ୍ନ କରିଥିଲେ ଯେ ଆପଣ କିଏ ଏହି ନିଷ୍ପତ୍ତି ନେବାକୁ । ଏହି ସମୟରେ ପ୍ରଭାତଙ୍କ ପୁଅ ସୌଭିକ ମଧ୍ୟ ଚିଲାଇବା ଆରମ୍ଭ କରିଥିଲେ । କିଛି ବିଧାୟକ ପ୍ରଭାତଙ୍କୁ ବୁଝାସୁଝା କରି କକ୍ଷରୁ ବାହାରକୁ ଆଣିଥିଲେ ।
ବାହାରକୁ ଆସିବା ପରେ ପ୍ରଭାତ ନିଜର ଅସନ୍ତୋଷ ଝାଡ଼ିଥିଲେ । ଏହା ଏକପାଖିଆ ନିଷ୍ପତ୍ତି ଅଟେ । ଯେଉଁମାନେ ପ୍ରକୃତ କାର୍ଯ୍ୟ କରିଛନ୍ତି ସେମାନଙ୍କୁ ଦଳ ପୁରସ୍କାର ଦେଉ । ଅନେକ ପରାଜିତ ପ୍ରାର୍ଥୀ ଅଛନ୍ତି ସେମାନଙ୍କୁ ସୁଯୋଗ ଦିଆଯାଉ ବୋଲି ସେ କହିଛନ୍ତି ।