ଭୁବନେଶ୍ୱର: ବିଜେଡ଼ି ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି । ସଂତୃପ୍ତ ମିଶ୍ର ଏବଂ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ଯଥାକ୍ରମେ ତୃତୀୟ ଏବଂ ଚତୁର୍ଥ ପ୍ରାର୍ଥୀ ହୋଇଛନ୍ତି । ଏହା ପରେ ଦଳର ଅସନ୍ତୁଷ୍ଟ ନେତାଙ୍କ ବୟାନ ସାମ୍ନାକୁୋ ଆସିଛନ୍ତି । ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ଗଣମାଧ୍ୟମ ସମ୍ମୁଖରେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି । ଦଳର ସମସ୍ତେ ମିଶି ଏହି ନିଷ୍ପତ୍ତି ନେଇ ନାହାଁନ୍ତି ବରଂ ଏହା ଏକପାଖିଆ ନିଷ୍ପତ୍ତି ବୋଲି କହିଛନ୍ତି ପ୍ରଭାତ ।
ବିଜେଡ଼ି ନେତା ପ୍ରଭାତ ବିଶ୍ୱାଳ ସଂତୃପ୍ତ ମିଶ୍ରଙ୍କ ପ୍ରାର୍ଥୀତ୍ୱକୁ ନେଇ ବର୍ଷିଛନ୍ତି । ଯେଉଁମାନେ ପ୍ରକୃତକାର୍ଯ୍ୟ କରିଛନ୍ତି ସେମାନଙ୍କୁ ଦଳ ପୁରସ୍କାର ଦେଉ । ଆଜି ପ୍ରଭାତ ଦୀର୍ଘ ଦିନ ଧରି ମନ ଭିତରେ ସାଇତି ରଖିଥିବା ଅସନ୍ତୋଷକୁ ଗୋଟି ଗୋଟି କରି ଓଗାଳି ଦେଇଛନ୍ତି । ଦଳରେ କାମ କରିଥିବା କର୍ମୀଙ୍କୁ ଟିକେଟ୍ ଦିଅନ୍ତୁ । ରାତି ରାତି ଦଳ ପାଇଁ ପରିଶ୍ରମ କରିଛୁ ଏବଂ କର୍ତ୍ତବ୍ୟ କରିଛୁ । ଦଳ ପ୍ରତି ଯେଉଁମାନେ କର୍ତ୍ତବ୍ୟ କରିଛନ୍ତି ସେମାନଙ୍କୁ ପୁରସ୍କାର ଦିଆଯାଉ । ଦଳର ବରିଷ୍ଠ ନେତୃତ୍ୱମାନେ ନିଷ୍ପତ୍ତି ନେବା ଦରକାର ।
ସେହିପରି ପ୍ରଭାତ ନୂଆପଡ଼ା ନିର୍ବାଚନ ପ୍ରସଙ୍ଗକୁ ମଧ୍ୟ ଉଠାଇଛନ୍ତି । ଯେଉଁମାନେ ଦଳରେ ନୂଆ କରି ଆସିଛନ୍ତି ସେମାନେ ନିଜ ନିର୍ବାଚନ ମଣ୍ଡଳୀରେ ରହି କାମ କରିବା ଉଚିତ । ସେ କହିଛନ୍ତି ଯେ ଦଳର ଆଦର୍ଶକୁ କେବେ ବିକ୍ରି କରିନାହିଁ ବରଂ ସବୁ ତ୍ୟାଗ କରିଥିବା ପ୍ରଭାତ କୋହଭରା କଣ୍ଠରେ କହିଛନ୍ତି ।
ସେହିପରି ଦଳର ପାଣ୍ଠି ହଡ଼ପ ହୋଇଯାଇପାରେ ବୋଲି ସେ ଆଶଙ୍କା କରିଛନ୍ତି । ଚାରି ହଜାର କୋଟି ଯିଏ ନେଇଛି ସିଏ ପ୍ରାର୍ଥୀ ହୋଇଛି । କିଏ ସେହି ପାଣ୍ଠି ନେଇଛି ତାକୁ ଖୋଜନ୍ତୁ । ସେହିପରି ଆଗାମୀ ଦିନରେ ଆଠ ହଜାର କୋଟି ବି ନେଇଯିବେ । କିଛି ନେତୃତ୍ୱ ତାଙ୍କ ପୋଷାକର ରଙ୍ଗ ପରିବର୍ତ୍ତନ କରିଦେଇଛି । କିଛି ନେତାଙ୍କ ପାଇଁ ସେ ଆଜି ଧଳା ପୋଷାକରୁ ନାଲି ପୋଷାକ ପିନ୍ଧୁଛନ୍ତି ବୋଲି କହିଛନ୍ତି । ଦଳରୁ ସେ କିଛି ନେଇ ନାହାଁନ୍ତି । ବରଂ ଦଳ ପାଇଁ ନିଷ୍ଠାପର ସହିତ କାମ କରିଛନ୍ତି । ନିଜ ଆଦର୍ଶକୁ ସେ କେବେ ବନ୍ଧା ପକାଇ ନାହାଁନ୍ତି ବୋଲି ସେ କହିଛନ୍ତି । ଦଳର ଦାୟିତ୍ୱ ବରିଷ୍ଠ ନେତାମାନେ ନିଅନ୍ତୁ ବୋଲି କହିଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ୨୦୨୩ରେ ସଂତୃପ୍ତ ମିଶ୍ର ବିଜେଡ଼ିରେ ଯୋଗ ଦେଲେ । ଏହା ପରେ ୨୦୨୪ ନିର୍ବାଚନରେ ପ୍ରଭାତଙ୍କ ନିର୍ବାଚନ ମଣ୍ଡଳୀ କଟକରୁ ପ୍ରାର୍ଥୀ ହୋଇଥିଲେ ସଂତୃପ୍ତ । ଏହା ପରେ ସେ ବିପୁଳ ଭୋଟ ବ୍ୟବଧାନରେ ହାରିଯାଇଥିଲେ । ପରବର୍ତ୍ତୀ ସମୟରେ ତାଙ୍କୁ ନବୀନଙ୍କ ରାଜନୈତିକ ସଚିବଭାବେ ନିଯୁକ୍ତ କରାଯାଇଥିଲା ।