ନୂଆଦିଲ୍ଲୀ: ଦିଲ୍ଲୀର ବହୁ ଚର୍ଚ୍ଚିତ ଅବକାରୀ ନୀତି ଦୁର୍ନୀତି ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟୀର ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି । ଶୁକ୍ରବାର ଦିଲ୍ଲୀ ରାଉଜ୍ ଏଭିନ୍ୟୁ କୋର୍ଟ ପୂର୍ବତନ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଓ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ସମେତ ସମସ୍ତ ୨୩ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଏହା ସହିତ ସିବିଆଇ କଡ଼ା ଭର୍ତ୍ସନା କରିଛନ୍ତି କୋର୍ଟ।
ସିବିଆଇ ପକ୍ଷରୁ ଦାଖଲ କରାଯାଇଥିବା ଚାର୍ଜସିଟ୍ କୋର୍ଟରେ ଦୁର୍ବଳ ସାବ୍ୟସ୍ତ ହୋଇଥିଲା । ଚାର୍ଜସିଟରେ ଉପଯୁକ୍ତ ପ୍ରମାଣ ଅଭାବ ଥିବା କୋର୍ଟ ହୃଦୟଙ୍ଗମ କରିଥିଲେ । ରାଉଜ୍ ଏଭିନ୍ୟୁ ଅଦାଲତର ସ୍ୱତନ୍ତ୍ର ବିଚାରପତି ଜିତେନ୍ଦ୍ର ସିଂହ ଶୁଣାଣିରେ କହିଥିଲେ ଯେ ଅବକାରୀ ନୀତିରେ ବ୍ୟାପକ ଷଡ଼ଯନ୍ତ୍ର କିମ୍ବା ଅପରାଧିକ କାର୍ୟ୍ୟ ପରିଲକ୍ଷିତ ହୋଇନାହିଁ । ସିବିଆଇ ପାଖରେ ମାମଲାକୁ ଚଳାଇବାକୁ ପର୍ୟ୍ୟାପ୍ତ ସାକ୍ଷ୍ୟ କିମ୍ବା ପ୍ରମାଣ ନାହିଁ । ତେଣୁ କୋର୍ଟ ଉକ୍ତ ମାମଲାକୁ ଖାରଜ କରିବା ସହିତ ସମସ୍ତ ୨୩ ଅଭିଯୁକ୍ତ ଦୋଷମୁକ୍ତ ଘୋଷଣା କରିଛନ୍ତି ।
ତେବେ ଅଦାଲତଙ୍କ ନିଷ୍ପତ୍ତି ଆସିବା ପରେ ଅରବିନ୍ଦ କେଜ୍ରିୱାଲ ବେଶ ଭାବବିହ୍ୱଳ ହୋଇପଡ଼ିଥିଲେ । କେଜ୍ରିୱାଲ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଉଥିବା ସମୟରେ କାନ୍ଦି ପକାଇଥିଲେ । ଆଉ କାନ୍ଦି କାନ୍ଦି କହିଥିଲେ “ମୁଁ ଦୁର୍ନୀତି କରିନାହିଁ । କେଜ୍ରିୱାଲ ଦୁର୍ନୀତିଗ୍ରସ୍ତ ନୁହେଁ । ମୁଁ ସଚ୍ଚୋଟତାର ସହିତ କାମ କରିଛି”। ତାଙ୍କ ପାଖରେ ଉପସ୍ଥିତ ଥିବା ମନୀଷ ସିସୋଦିଆ ଆଲିଙ୍ଗନ କରି ସାନ୍ତ୍ୱନା ମଧ୍ୟ ଦେଇଥିଲେ ।
କେଜ୍ରିୱାଲ ଅଦାଲତଙ୍କ ରାୟ ପରେ ଖୁବ ବର୍ଷିଛନ୍ତି । ସେ କହିଛନ୍ତି ଯେ ତାଙ୍କ ଉପରେ ମିଥ୍ୟା ମାମଲା କରାଯାଇଥିଲା । ସତ୍ୟର ବିଜୟ ହୋଇଛି । ଆପ୍ ଦଳକୁ ଶେଷ କରିଦେବାକୁ ଦଳର ସବୁଠାରୁ ୫ ବଡ଼ ନେତାଙ୍କୁ ଜେଲରେ ଭର୍ତ୍ତି କରିଦିଆଗଲା । ଶାସନରେ ଥିବା ମୁଖ୍ୟମନ୍ତ୍ରୀ ଘରୁ ଘୋଷାଡ଼ିକି ନେଇ ଗିରଫ କରାଗଲା । ସେହିପରି ସେ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍ କରି କହିଛନ୍ତି ଯେ ଗାଦି ପାଇଁ ସମ୍ବିଧାନ ସହିତ ଖେଳ ନାହିଁ । ଦେଶର ଚାରିଆଡ଼େ ସମସ୍ୟା ଉପରେ ସମସ୍ୟା ରହିଛି । ସେହି ସମସ୍ୟାକୁ ସମାଧାନ କରି ଶାସନକୁ ଆସ ବୋଲି ସେ ଆହ୍ୱାନ କରିଛନ୍ତି ।