ଭୁବନେଶ୍ୱର: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଞ୍ଚଳରେ ଚାଷୀ ମୃତ୍ୟୁ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ । ମଣ୍ଡିରେ ଦୀର୍ଘ ଦିନ ଧରି ଅପେକ୍ଷା କରିବାକୁ ଚାଷୀ ତ୍ରିଲୋଚନ ନାୟକଙ୍କ ମୃତ୍ୟୁ ହୋଇନି । ଅନ୍ୟ ରୋଗ ଯୋଗୁଁ ତାଙ୍କର ଦେହାନ୍ତ ହୋଇଛି । ମଣ୍ଡିରେ ଅପେକ୍ଷା କରି କେହି ମରନ୍ତି ନାହିଁ ବୋଲି ମନ୍ତ୍ରୀ କହିଛନ୍ତି । ତେବେ ଏ ଘଟଣାର ସମବାୟ ବିଭାଗ ମଧ୍ୟ ତଦନ୍ତ କରୁଥିବାର ମନ୍ତ୍ରୀ ସୂଚନା ଦେଇଛନ୍ତି ।
ରାଜନଗର ଅଞ୍ଚଳରେ ଚାଷୀ ମୃତ୍ୟୁ ଘଟଣାକୁ ବିଜେଡ଼ି ରାଜ୍ୟ ସରକାରଙ୍କ ଉପରେ ଗମ୍ଭୀର ଅଭିଯୋଗ ଆଣିଥିଲା । ଧାନ ସଂଗ୍ରହ ବ୍ୟବସ୍ଥା ବିଫଳତା କାରଣରୁ ତ୍ରିଲୋଚନ ନାୟକଙ୍କ ମୃତ୍ୟୁ ହୋଇଥିଲା । ସେ ଜାନୁଆରୀ ୧୬ ତାରିଖରେ ଟୋକନ ପାଇଥିଲେ । କଟନୀ ଛଟନୀରେ ତ୍ରିଲୋଚନଙ୍କର ପ୍ରତି କ୍ୱିଣ୍ଟାଲରେ ୬କିଗ୍ରା କଟା ଯାଇଛି। ଏହା ଛଡା ଧାନ ବିକ୍ରି କରିବା ପାଇଁ ମୃତ ତ୍ରିଲୋଚନଙ୍କୁ ପ୍ରତ୍ୟେକ ସ୍ତରରେ ହତାଶ ହେବାକୁ ପଡିଥିଲା । ସେହିପରି ଧାନ ହସ୍ତାନ୍ତର ପାଇଁ ତିନିଦିନ କାଳ ସେ ମଣ୍ଡିରେ ଜଗି ବସିଥିଲେ ବୋଲି ବୋଲି ତାଙ୍କ ପରିବାର ଲୋକ ଅଭିଯୋଗ କରିଥିବା ବିଜେଡ଼ି ଅଭିଯୋଗ କରିଥିଲା ।