ମାଲକାନଗିରି: ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ସ୍ଥାନୀୟ ଲୋକେ ମାଓବାଦୀଙ୍କ ଦ୍ୱାରା ନିର୍ମିତ ସହିଦ ସ୍ତମ୍ଭକୁ ଭାଙ୍ଗିଛନ୍ତି । ବିଭିନ୍ନ ଗ୍ରାମରେ ଥିବା ୨୦ରୁ ଉର୍ଦ୍ଧ୍ୱ ସହିଦ ସ୍ତମ୍ଭ ମାଟିରେ ମିଶାଇଛନ୍ତି ଗ୍ରାମବାସୀ । ସ୍ୱାଭିମାନ ଅଂଚଳ, ମାଥିଲି, କାଲିମେଳା, ଖଇରପୁଟରେ ସ୍ମୃତି ସ୍ତମ୍ଭକୁ ଭଙ୍ଗା ଯାଇଛି । ପୂର୍ବରୁ ମାଓବାଦୀମାନେ ସେମାନଙ୍କ ସାଥି ମାଓବାଦୀଙ୍କ ମୃତ୍ୟୁ ପରେ ସେମାନଙ୍କୁ ସହିଦ ଘୋଷଣା କରି ସ୍ମୃତି ସ୍ତମ୍ଭ ନିର୍ମାଣ କରିଛନ୍ତି ।
ସେପଟେ ରାଜ୍ୟ ସରକାରଙ୍କ ଆହ୍ୱାନରେ ବହୁ ମାଓବାଦୀ ଅସ୍ତ୍ର ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଆଜି ଛତିଶଗଡ଼ ଇନ୍ଦ୍ରାବତୀ ନଦୀ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଦୁଇଜଣ ମାଓବାଦୀ ନିହତ ହୋଇଛନ୍ତି। ଏହି ଅଞ୍ଚଳରେ ମାଓବାଦୀଙ୍କ ଉପସ୍ଥିତି ନେଇ ଗୁଇନ୍ଦା ବିଭାଗ ପକ୍ଷରୁ ନିର୍ଦ୍ଦିଷ୍ଟ ସୂଚନା ମିଳିଥିଲା। ସୂଚନା ଆଧାରରେ ଏକ ମିଳିତ ସୁରକ୍ଷା ଟିମ୍ ସମ୍ପୃକ୍ତ ଅଞ୍ଚଳରେ କମ୍ବିଂ ଅପରେସନ ଆରମ୍ଭ କରିଥିଲେ। ସର୍ଚ୍ଚ ଅପରେସନ ଚାଲିଥିବା ସମୟରେ ଲୁଚି ରହିଥିବା ମାଓବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଅତର୍କିତ ଗୁଳି ଚାଳନା କରିଥିଲେ। ଯବାନମାନେ ଏହାର ଦୃଢ଼ ଜବାବ ଦେବା ଫଳରେ ଉଭୟ ପକ୍ଷ ମଧ୍ୟରେ କିଛି ସମୟ ଧରି ଗୁଳିବିନିମୟ ହୋଇଥିଲା। ଶେଷରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ମାଓବାଦୀ ଟଳି ପଡିଥିଲେ। ମୃତଦେହ ନିକଟରୁ ଗୋଟିଏ ଏସଏଲଆର ରାଇଫଲ, ଗୋଟିଏ ଇନସାସ ରାଇଫଲ ଏବଂ ଗୋଟିଏ ୧୨-ବୋର ରାଇଫଲ ସମେତ ବିପୁଳ ପରିମାଣର ବିସ୍ଫୋରକ ଓ ଅନ୍ୟାନ୍ୟ ମାଓ ସାମଗ୍ରୀ ଜବତ କରାଯାଇଛି।