ଛତିଶଗଡ଼:ଛତିଶଗଡ଼ର ବିଜାପୁରରେ ମାଓ ଦମନ ଅଭିଯାନରେ ସୁରକ୍ଷାକର୍ମୀଙ୍କୁ ମିଳିଛି ଏକ ବଡ଼ ସଫଳତା। ଗୁରୁବାର ସକାଳେ ଇନ୍ଦ୍ରାବତୀ ନଦୀ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଦୁଇଜଣ ମାଓବାଦୀ ନିହତ ହୋଇଛନ୍ତି। ଘଟଣାସ୍ଥଳରୁ SRL, INSAS, ବନ୍ଧୁକ ଓ ମାଓ ବିସ୍ଫୋରକ ଜବତ ହୋଇଛି।
ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଅଞ୍ଚଳରେ ମାଓବାଦୀଙ୍କ ଉପସ୍ଥିତି ନେଇ ଗୁଇନ୍ଦା ବିଭାଗ ପକ୍ଷରୁ ନିର୍ଦ୍ଦିଷ୍ଟ ସୂଚନା ମିଳିଥିଲା। ଗୁଇନ୍ଦା ସୂଚନା ଆଧାରରେ ଏକ ମିଳିତ ସୁରକ୍ଷା ଟିମ୍ ସମ୍ପୃକ୍ତ ଅଞ୍ଚଳରେ କମ୍ବିଂ ଅପରେସନ ଆରମ୍ଭ କରିଥିଲେ। ସର୍ଚ୍ଚ ଅପରେସନ ଚାଲିଥିବା ସମୟରେ ଲୁଚି ରହିଥିବା ମାଓବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଅତର୍କିତ ଗୁଳି ଚାଳନା କରିଥିଲେ। ଯବାନମାନେ ଏହାର ଦୃଢ଼ ଜବାବ ଦେବା ଫଳରେ ଉଭୟ ପକ୍ଷ ମଧ୍ୟରେ କିଛି ସମୟ ଧରି ଗୁଳିବିନିମୟ ହୋଇଥିଲା। ଶେଷରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ମାଓବାଦୀ ଟଳି ପଡିଥିଲେ।
ବିଜାପୁର ଏସପି ଡକ୍ଟର ଜିତେନ୍ଦ୍ର ଯାଦବ କହିଛନ୍ତି ଯେ, ଗୁଳିବିନିମୟ ଶେଷ ହେବା ପରେ ଘଟଣାସ୍ଥଳରେ ତଲାସି ଅଭିଯାନ କରାଯାଇଥିଲା। ସେଠାରୁ ମାଓବାଦୀଙ୍କ ପୋଷାକ ପିନ୍ଧିଥିବା ଦୁଇଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହ ନିକଟରୁ ଗୋଟିଏ ଏସଏଲଆର (SLR) ରାଇଫଲ, ଗୋଟିଏ ଇନସାସ (INSAS) ରାଇଫଲ ଏବଂ ଗୋଟିଏ ୧୨-ବୋର ରାଇଫଲ ସମେତ ବିପୁଳ ପରିମାଣର ବିସ୍ଫୋରକ ଓ ଅନ୍ୟାନ୍ୟ ମାଓ ସାମଗ୍ରୀ ଜବତ କରାଯାଇଛି। ବସ୍ତର ରେଞ୍ଜ ଆଇଜି ସୁନ୍ଦରରାଜ ପି ସୂଚନା ଦେଇଛନ୍ତି ଯେ ଅଞ୍ଚଳରେ ସର୍ଚ୍ଚ ଅପରେସନ ଏବେ ମଧ୍ୟ ଜାରି ରହିଛି। ସୂଚନାଯୋଗ୍ୟ ଯେ, ପୂର୍ବରୁ ଜାନୁଆରୀ ୩ ତାରିଖରେ ବସ୍ତର ଅଞ୍ଚଳରେ ସୁରକ୍ଷାକର୍ମୀମାନେ ଦୁଇଟି ପୃଥକ ଏନକାଉଣ୍ଟରରେ ୧୪ ଜଣ ମାଓବାଦୀଙ୍କୁ ନିହତ କରିବାରେ ସଫଳ ହୋଇଥିଲେ।