ଚେନ୍ନାଇ: ଆଜି ଭାରତ ଓ ଜିମ୍ବାୱେ ମଧ୍ୟରେ ସୁପର-୮ରେ କର ବା ମର ମ୍ୟାଚ୍ ଖେଳାଯିବ । ଯେଉଁ ଦଳ ଏହି ମୁକାବିଲା ହାରିବ ବିଶ୍ୱକପରୁ ବିଦା ହେବ । ଜିତିବା ଦଳ ସେମି ଫାଇନାଲ୍ ଦୌଡରେ ରହିବ । ଟିମ୍ ଇଣ୍ଡିଆକୁ ନକଆଉଟ୍ ପର୍ଯ୍ୟାୟରେ ପହଞ୍ଚିବା ପାଇଁ କେବଳ ଜିମ୍ବାୱେ ବିପକ୍ଷରେ ବିଜୟ ଯଥେଷ୍ଟ ନୁହେଁ ବରଂ ଦଳକୁ ବଡ ବ୍ୟବଧାନରେ ଜିତିବାକୁ ପଡିବ । ଟିମ୍ ଇଣ୍ଡିଆ ପାଇଁ ଏହି ମ୍ୟାଚ୍ ବହୁତ ଗୁରୁତ୍ୱପୂର୍ଣ୍ଣ । ଏମିତିରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଓ କୋଚ ଗୌତମ ଗମ୍ଭୀର ଚୂଡାନ୍ତ ଏକାଦଶରେ ପରିବର୍ତ୍ତନ କରି ପାରନ୍ତି ।
ଟପ୍ ଅର୍ଡରରେ ତିନି ଜଣ ବାମହାତୀ ବ୍ୟାଟର ରହୁଥିବାରୁ ବିରୋଧୀ ଦଳ ଭାରତ ବିପକ୍ଷରେ ଗୋଟିଏ ପ୍ରକାରର ରଣନୀତି ନେଇ ମଇଦାନକୁ ଓହ୍ଲାଉଛନ୍ତି । ଏମିତିରେ ଟିମ୍ ଇଣ୍ଡିଆରେ ପରିବର୍ତ୍ତନ ଜରୁରୀ । ଭାରତୀୟ ବ୍ୟାଟିଂ କୋଚ୍ ସୀତାଂଶୁ କୋଟକା ସ୍ପଷ୍ଟ କରିଛନ୍ତି ଯେ, ଦଳର ସଂଯୋଜନାକୁ ନେଇ ଖୁବ ବିତର୍କ ଚାଲିଛି ।
କୋଟକ ମ୍ୟାଚ୍ ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଦଳରେ ପରିବର୍ତ୍ତନ ହୋଇପାରେ । କାରଣ ଟପ୍ ଅର୍ଡରରେ ତିନି ଜଣ ବାମହାତୀ ବ୍ୟାଟର ଅଛନ୍ତି । କିନ୍ତୁ ବାରମ୍ବାର ଆଉଟ୍ ହେଉଥିବାରୁ ଏଥିରେ ପରିବର୍ତ୍ତନ କରିବାକୁ ଆମେ ବାଧ୍ୟ ହେଉଛୁ । ତିନୋଟି ମ୍ୟାଚରେ ଦଳ ପ୍ରଥମ ଓଭରରେ ହିଁ ବ୍ୟାଟରଙ୍କୁ ହରାଇଛି । ଏମିତି ସ୍ଥିତିରେ ଆଜିର ମ୍ୟାଚରେ ସଞ୍ଜୁ ସାମସନ ଦଳକୁ ଫେରି ପାରନ୍ତି । ସେ ଅଭିଷେକ ଶର୍ମାଙ୍କ ସହ ଇନିଂସ ଓପନ କରିବେ ଏବଂ ଇଶାନ କିଶନ ନମ୍ବର ୩ରେ ବ୍ୟାଟିଂ କରିବେ ।
ଯଦି ରିଙ୍କୁ ସିଂ ଆଜିର ମ୍ୟାଚ୍ ପାଇଁ ଉପଲବ୍ଧ ନ ହୁଅନ୍ତି ତେବେ ସଞ୍ଜୁ ସାମସନ ତାଙ୍କ ସ୍ଥାନରେ ଖେଳି ପାରନ୍ତି । ନଚେତ୍ ରିିଙ୍କୁ ଏବଂ ତିଳକ ବର୍ମାଙ୍କ ମଧ୍ୟରୁ ଜଣଙ୍କୁ ବାହାରେ ବସିବାକୁ ପଡିପାରେ । ଏହା ବ୍ୟତୀତ ୱାଶିଂଟନ ସୁନ୍ଦରଙ୍କ ସ୍ଥାନରେ ଅକ୍ଷର ପଟେଲ ଦଳକୁ ଫେରି ପାରନ୍ତି । ଅକ୍ଷର ଖେଳିଲେ ଦଳକୁ ସ୍ପିନ ଆକ୍ରମଣରେ ବିବିଧତା ମିଳିବ ।
ଭାରତର ସମ୍ଭାବିତ ଏକାଦଶ
ଅଭିଷେକ ଶର୍ମା, ସଞ୍ଜୁ ସାମସନ, ଇଶାନ କିଶନ, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ରିଙ୍କୁ ସିଂ/ତିଳକ ବର୍ମା, ଅକ୍ଷର ପଟେଲ, ବରୁଣ ଚକ୍ରବର୍ତ୍ତୀ, ଯଶପ୍ରୀତ ବୁମରା, ଅର୍ଶଦୀପ ସିଂ ।