ଭୁବନେଶ୍ୱର: ଚୌଦ୍ଵାର ସର୍କଲ ଜେଲ୍ ଡେଇଁ ଫେରାର ପରେ ଧରାପଡ଼ିଥିବା ଦୁର୍ଦ୍ଦାନ୍ତ ବିହାରୀ ଅପରାଧୀ ମଧୁକାନ୍ତ କୁମାରକୁ ଝାରପଡ଼ା ସ୍ୱତନ୍ତ୍ର ଜେଲ୍କୁ ସ୍ଥାନାନ୍ତର କରାଯାଇଛି। କୋର୍ଟଙ୍କ ନିର୍ଦ୍ଦେଶ ବଳରେ ମଧୁକାନ୍ତର ହାତ ଓ ଗୋଡ଼ରେ ବେଡ଼ି ପଡ଼ିଛି। ଚୌଦ୍ଵାର ସର୍କଲ୍ ଜେଲ୍ରୁ ୨୦୨୫ ଅକ୍ଟୋବର ୩ ତାରିଖରେ ମଧୁକାନ୍ତ ଓ ତାର ସହଯୋଗୀ ଶୁଭମ୍ ଓରଫ ରାଜା ସାହାଣୀ ଫେରାର ହୋଇଯାଇଥିଲେ।
ମଧୁକାନ୍ତ ଫେବ୍ରୁଆରି ୧୪ରେ ବୃନ୍ଦାବନରୁ ଧରାପଡ଼ିଥିବା ବେଳେ ରାଜା ଏଯାଏଁ ଧରାପଡ଼ିନି। ଧରାପଡ଼ିବା ପରେ ମଧୁକାନ୍ତକୁ ଚୌଦ୍ଵାର ଜେଲ୍ର ୩ ନମ୍ବର ହାଇସିକ୍ୟୁରିଟି ୱାର୍ଡର ୨ ନଂ ସେଲ୍ରେ ରଖାଯାଇଥିଲା। କିନ୍ତୁ ଏଠାରୁ ସେ ପୁଣି ଖସିଯିବାର ଯିବାର ଆଶଙ୍କା ଥିବାରୁ ଚୌଦ୍ଵାର ସର୍କଲ ଜେଲ୍ ବରିଷ୍ଠ ବରିଷ୍ଠ ଅଧୀକ୍ଷକ ସୁଜିତ କୁମାର ରାଉଳଙ୍କ ପକ୍ଷରୁ ଯାଜପୁର ଅତିରିକ୍ତ ଜିଲ୍ଲା ଜର୍ଜ କୋର୍ଟରେ ଜେଲ୍ ସ୍ଥାନାନ୍ତର ପାଇଁ ଆବେଦନ କରାଯାଇଥିଲା।
ଏହାରି ଭିତରେ କଟକ କମିସନରେଟ୍ ପୁଲିସ ୧୭ରୁ ୨୨ ତାରିଖ ଯାଏଁ ୬ ଦିନିଆ ରିମାଣ୍ଡରେ ଆଣି ଜେରା କରିଥିଲା। ୨୩ ତାରିଖରେ ରିମାଣ୍ଡ ସାରିବା ପରେ ମଧୁକାନ୍ତ ଚୌଦ୍ଵାର ସର୍କଲ ଜେଲ୍କୁ ଫେରିଥିଲା। ଗତକାଲି (୨୫ ଫେବ୍ରୁଆରି) ଦିନ ପ୍ରାୟ ୨ଟା ବେଳେ ମଧୁକାନ୍ତକୁ ଝାରପଡ଼ା ଜେଲ୍କୁ ସ୍ଥାନାନ୍ତର କରାଯାଇଛି। ମଧୁକାନ୍ତର ହାତ ଓ ଗୋଡ଼ରେ ବେଡ଼ି ପକାଇ ରଖାଯିବ। ଝାରପଡ଼ା ଜେଲରୁ ଭିଡିଓ କନଫରେନ୍ସ ଜରିଆରେ ହୋଇପାରେ ମଧୁକାନ୍ତର ଶୁଣାଣି।
ଅଧିକ ପଢନ୍ତୁ: ଆଜି ସରୁଛି ଚୌଦ୍ୱାର ଜେଲରୁ ଚମ୍ପଟ ମାରିଥିବା କଏଦୀ ମଧୁକାନ୍ତଙ୍କ ରିମାଣ୍ଡ; ପୋଲିସ ହାତରେ ଲାଗିଛି ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ