କଟକ: ଚୌଦ୍ୱାର ମଣ୍ଡଳ କାରାଗାରରେ ସୁରକ୍ଷା ବ୍ୟବସ୍ଥାରେ ଗୁରୁତର ତ୍ରୁଟି ପରିଲକ୍ଷିତ ହୋଇଛି । ଏକ ପ୍ରତିଷ୍ଠିତ ଜେଲରୁ ଦୁଇ ଜଣ କଏଦୀ ଫେରାର ହେବାରେ ସଫଳ ହୋଇଛନ୍ତି । ଦୁଇ କଏଦୀ ହେଲେ ମଧୁକାନ୍ତ ଓ ରାଜା ସାହାଣୀ । ସେମାନେ ବିହାରର ମୂଳ ବାସିନ୍ଦା ଅଟନ୍ତି ।
ମଧୁକାନ୍ତ ଓ ରାଜା ସାହାଣୀ ବହୁ ଚର୍ଚ୍ଚିତ ଯାଜପୁର ପାଣିକୋଇଲି ସ୍ଥିତ ପଣ୍ଡା ଅଳଙ୍କାର ଲୁଟ୍ ଏବଂ ମାଲିକଙ୍କୁ ଗୁଳି କରି ହତ୍ୟା କରିବା ଅଭିଯୋଗରେ ଅଭିଯୁକ୍ତ ଥିଲେ । ସେମାନଙ୍କୁ ଯାଜପୁର ଜେଲରୁ ଚୌଦ୍ୱାର ଅଣାଯାଇଥିଲା । କାଲି ରାତିରେ ଉଭୟଙ୍କୁ ଜେଲରେ ଦେଖିବାକୁ ମିଳିଥିଲା । ମାତ୍ର ବିଳମ୍ବିତ ରାତି ଗୋଟାଏ ବେଳକୁ ଉଭୟ ଜେଲର ଲୁହା ସେଲ୍ କୁ ଆରିରେ କାଟି ଫେରାର ହୋଇଯାଇଥିବା ଜଣାଯାଇଛି ।
ଚୌଦ୍ୱାର ଭଳି ଏକ ବଡ଼ ଜେଲରୁ କଏଦୀ ଚମ୍ପଟ ମାରିବା ସମସ୍ତଙ୍କୁ ଆଚମ୍ବିତ କରିଛି । ଏତେ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସେମାନେ ଲୁହା ରଡ୍ କାଟୁଥିବାବେଳେ କିଭଳି କେହି ଜାଣିପାରିଲେ ନାହିଁ ବୋଲି ତାହା ସନ୍ଦେହରେ । ସେମାନେ ଆରି କେଉଁଠୁ ଆଣିଲେ ତାହା ମଧ୍ୟ ଏକ ବଡ଼ ପ୍ରଶ୍ନ । ପୋଲିସ ଯାଞ୍ଚ ଆରମ୍ଭ କରିଛି ।
ପ୍ରକାଶ ଥାଉକି, ଜାନୁୟାରୀ ୪ ତାରିଖରେ ଯାଜପୁର ପାଣିକୋଇଲି ଛକରେ ଥିବା ପଣ୍ଡା ଅଳଙ୍କାରକୁ ଦିନ ଦ୍ୱିପ୍ରହରରେ ଲୁଟ୍ ହୋଇଥିଲା । ଲୁଟେରାଙ୍କୁ ଗୁଳି ମାଡ଼ରେ ବିଦ୍ୟୁତ ବିଭାଗର ଜଣେ ଡ୍ରାଇଭର ନୀଳମାଧବ ପଣ୍ଡା ଏବଂ ଦୋକାନ ମାଲିକ ସୁନୀଲ ରାୟଙ୍କର ମୃତ୍ୟୁ ହୋଇଥିଲା । ସ୍ଥାନୀୟ ଲୋକେ ଜଣକୁ କାବୁ କରି ପୋଲିସ ଜିମା ଦେଇଥିଲେ । ଅନ୍ୟମାନେ ଫେରାର ହେବାରେ ସଫଳ ହୋଇଥିଲେ ।