ନୂଆଦିଲ୍ଲୀ: ଏନସିଇଆରଟି ବିବାଦରେ ବ୍ୟାକଫୁଟରେ କେନ୍ଦ୍ର ସରକାର । ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ(ଏନସିଇଆରଟି)ର ଅଷ୍ଟମ ଶ୍ରେଣୀର ସାମାଜିକ ବିଜ୍ଞାନରେ ନ୍ୟାୟାପାଳିକାରେ ଦୁର୍ନୀତି ହେଉଥିବା ନେଇ ଏକ ଅଧ୍ୟାୟ ଯୋଡିଥିଲେ । ଏହାକୁ ନେଇ ସୁପ୍ରିମକୋର୍ଟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ । ଗୁରୁବାର ଏହି ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ଏହି ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହଟ୍ଟା ବିନା ସର୍ତ୍ତରେ କ୍ଷମା ମାଗିଛନ୍ତି । ଏନସିଇଆରଟି ପୁସ୍ତକକୁ ନେଇ ବିବାଦ ଅଧିକ ଘନେଇବା ପରେ କେନ୍ଦ୍ର ସରକାର ନିଃସର୍ତ୍ତ କ୍ଷମା ମାଗିଛନ୍ତି ।
ଭାରତର ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ଏହି ମାମଲାରେ କଡା ଆଭିମୁଖ୍ୟ ଆପଣେଇଛନ୍ତି । ସିଜେଆଇ କହିଛନ୍ତି, ଏମିତି ଲାଗୁଛି ନ୍ୟାୟପାଳିକାକୁ ବଦନାମ କରିବା ପାଇଁ ଏକ ସୁନିୟୋଜିତ ଷଡଯନ୍ତ୍ର ରଚା ଯାଇଥିଲା । ସିଜେଆଇ ଚେତାବନୀ ଦେଇ କହିଛନ୍ତି ଯେ, ଏହି ମାମଲାରେ କୌଣସି ଦୋଷୀଙ୍କୁ ଛଡାଯିବ ନାହିଁ । ଏହି ଅବହେଳା ଏବଂ ବେପରୁଆ ପାଇଁ ଦାୟୀ ଲୋକଙ୍କୁ ସଜା ମିଳିବ ।
ଏନସିଇଆରଟିର ପୁସ୍ତକରେ ନ୍ୟାୟପାଳିକା ଉପରେ କଣ ରହିଛି ?
ଏହା ପୂର୍ବରୁ ଏନସିଇଆରଟି ନିକଟରେ ଅଷ୍ଟମ ଶ୍ରେଣୀ ପାଇଁ ନୂଆ ପାଠ୍ୟକ୍ରମ ଜାରି କରିଛି । ଏଥିରେ ଅଦାଲତରେ ଦୁର୍ନୀତି ପରି ପ୍ରସଙ୍ଗକୁ ନେଇ ନୂଆ ଅଧ୍ୟାୟ ଯୋଡା ଯାଇଥିଲା । ସାମାଜିକ ବିଜ୍ଞାନର ନୂଆ ପାଠ୍ୟ ପୁସ୍ତକରେ କୁହାଯାଇଛି ଯେ, ଦୁର୍ନୀତି, ପଡି ରହୁଥିବା ମାମଲା ଏବଂ ବିଚାରପତିଙ୍କ ଅଭାବ ନ୍ୟାୟିକ ପ୍ରଣାଳୀ ସାମ୍ନାରେ ଏକ ବଡ ଆହ୍ୱାନ । ନୂଆ ପୁସ୍ତକରେ ନ୍ୟାୟପାଳିକାରେ ଦୁର୍ନୀତି ନାମକ ଖଣ୍ଡରେ କୁହାଯାଇଛି ଯେ, ବିଚାରପତି ଏକ ଆଚାର ସଂହିତାରେ ବାନ୍ଧି ହୋଇ ରହିଥାନ୍ତି । ଏହା କେବଳ ଅଦାଲତ ଭିତରେ ନୁହେଁ ବରଂ ଅଦାଲତ ବାହାରେ ମଧ୍ୟ ଉକ୍ତ ଆଚାର ସଂହିତା ବିଚାରପତିଙ୍କୁ ନିୟନ୍ତ୍ରିତ କରିଥାଏ । ଏପରିକି ନ୍ୟାୟପାଳିକାର ବିଭିନ୍ନ ସ୍ତରରେ ଲୋକଙ୍କୁ ଦୁର୍ନୀତିର ସାମ୍ନା କରିବାକୁ ପଡିଥାଏ । ଗରିବ ଏବଂ ବଞ୍ଚିତ ବ୍ୟକ୍ତିଙ୍କୁ ନ୍ୟାୟ ପର୍ଯ୍ୟନ୍ତ ପହଞ୍ଚିବା ମୁସ୍କିଲ ହୋଇଥାଏ ।
୩୮ ବିକ୍ରି ହୋଇଥିବା କପି ଖୋଜୁଛି ମନ୍ତ୍ରଣାଳୟ
ମନ୍ତ୍ରଣାଳୟର ସୂତ୍ର ଅନୁଯାୟୀ, ଏହି ବିବାଦୀୟ ପୁସ୍ତକର ମୋଟ୍ ୨.୨୫ ଲକ୍ଷ କପି ଛପା ଯାଇଥିଲା । ହେଲେ ଏହାର ବିତରଣ ହେବା ପୂର୍ବରୁ ବିବାଦ ସାମ୍ନାକୁ ଆସିଛି । ଏବେ ବି ୨, ୨୪, ୯୬୨ ପୁସ୍ତକ ଏବେ ବି ଗୋଦାମରେ ସୁରକ୍ଷିତ ରହିଛି । ଏସବୁକୁ ଫେରାଇ ନିଆଯାଇଛି । କେବଳ ୩୮ ପୁସ୍ତକ ବଜାରରେ ବିକ୍ରି ହୋଇଛି । ଶିକ୍ଷା ମନ୍ତ୍ରଣାଳୟ ଏବଂ ଏନସିଇଆରଟି ଏବେ ଏହି ପୁସ୍ତକକୁ ବଜାରରେ ଖୋଜୁଛି ।