ନୂଆଦିଲ୍ଲୀ: ନାବାଳିକ ଶିଷ୍ୟଙ୍କ ସହ ଯୌନ ଶୋଷଣ ଅଭିଯୋଗରେ ଫସିଥିବା ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀଙ୍କ ମୁସ୍କିଲ ବଢିବାରେ ଲାଗିଛି । ସୂତ୍ର ମୁତାବକ ପୋଲିସ ଦ୍ୱାରା କରାଯାଇଥିବା ମେଡିକାଲ୍ ଯାଞ୍ଚ ରିପୋର୍ଟରେ ପୀଡିତ ଦୁଇ ନାବାଳିକାଙ୍କ ସହ ଯୌନ ଶୋଷଣ ହୋଇଥିବା ଜଣା ପଡିଛି । ବୁଧବାର ପୋଲିସ ଦୁଇ ନାବାଳିକାଙ୍କ ଡାକ୍ତରୀ ପରୀକ୍ଷା କରାଇଥିଲେ । ଅଭିଯୋଗକାରୀ ଆଶୁତୋଷ ବ୍ରହ୍ମାଚାରୀ ମଧ୍ୟ ଦାବି କରିଥିଲେ ଯେ, ରିପୋର୍ଟରେ ଯୌନ ଶୋଷଣ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ।
ମାମଲା ବିଗିଡିବା ପରେ ପୋଲିସ ତଦନ୍ତକୁ ଜୋରଦାର କରିଛି । ଡାକ୍ତରୀ ପରୀକ୍ଷା ରିପୋର୍ଟକୁ ଗୁରୁତ୍ୱପୂର୍ଣ୍ଣ ସାକ୍ଷ୍ୟ ଭାବେ କେସ୍ ଡାଏରୀରେ ଯୋଡା ଯାଉଛି । ଯଦି ତଦନ୍ତରେ ଅଭିଯୋଗ ସତ୍ୟ ପ୍ରମାଣିତ ହୁଏ ତେବେ ସ୍ୱାମୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହୋଇପାରେ ।
ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ
ଗିରଫଦାରୀ ଆଶଙ୍କାକୁ ଦୃଷ୍ଟିରେ ରଖି ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ଆହ୍ଲାବାଦ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ ଦାଖଲ କରିଛନ୍ତି । ଏହି ଯାଚିକା ଉପରେ ଶୁକ୍ରବାର ବିଚାରପତି ଜିତେନ୍ଦ୍ର କୁମାର ସିହ୍ନାଙ୍କ ଜଣିକିଆ ପୀଠ ଶୁଣାଣି କରିବେ । ଅଦାଲତରେ ପୋଲିସ ମେଡିକାଲ୍ ରିପୋର୍ଟ ଏବଂ ଏ ପର୍ଯ୍ୟନ୍ତ ଯୋଗାଡ କରିଥିବା ସାକ୍ଷ୍ୟକୁ ଉପସ୍ଥାପନ କରିପାରେ । ଆଇନ ବିଶେଷଜ୍ଞଙ୍କ ମତରେ ଯଦି ହାଇକୋର୍ଟରୁ ଆଶ୍ୱସ୍ତି ନ ମିଳେ ତେବେ ପୋଲିସ ତାଙ୍କୁ ଯେ କୌଣସି ସମୟରେ ଗିରଫ କରିପାରେ ।
ଅଭିମୁକ୍ତେଶ୍ୱରାନନ୍ଦଙ୍କ ବିରୋଧରେ ପୋକ୍ସୋ ଆକ୍ଟରେ କେସ ରୁଜୁ
ଏହି ମାମଲା ପ୍ରୟାଗରାଜର ଝୁନ୍ସି ଥାନାରେ ରୁଜୁ ହୋଇଛି । ସ୍ୱାମୀ ଏବଂ ତାଙ୍କ ଶିଷ୍ୟ ମୁକୁନ୍ଦାନନ୍ଦ ଗିରି ସହିତ ଅନ୍ୟଙ୍କ ବିରୋଧରେ ପୋକ୍ସୋ ଆକ୍ଟ ଆଧାରରେ ମାମଲା ରୁଜୁ ହୋଇଛି । ପୋଲିସ ଜଣାଇଛି ଯେ, ମାମଲାର ତଦନ୍ତ ଜାରି ରହିଛି ଏବଂ ଅନ୍ୟ ସନ୍ଦିଗ୍ଧଙ୍କ ଭୂମିକାର ମଧ୍ୟ ଯାଞ୍ଚ କରାଯାଉଛି । ଆଗାମୀ କାର୍ଯ୍ୟାନୁଷ୍ଠାନ ଅଦାଲତଙ୍କ ନିର୍ଦ୍ଦେଶ ଏବଂ ତଦନ୍ତର ନିଷ୍କର୍ସ ଉପରେ ନିର୍ଭର କରେ ।