ଭୁବନେଶ୍ୱର: ଏବେ ଲାଲଗଡ଼ରେ ନିଜ ନିଜ ଭିତରେ ହେଉଛି ରକ୍ତପାତ । କେକେବିଏନ୍ ଡିଭିଜନର ଡିଭିସିଏମ୍ ସଦସ୍ୟ ଅନ୍ୱେଷକୁ ଅନ୍ୟ ଜଣେ ହାର୍ଡକୋର୍ ମାଓବାଦୀ ଶୁକ୍ରୁ ହତ୍ୟା କରିଛି । କନ୍ଧମାଳ ଏସପି ହରିଶ ବି.ସି ସାମ୍ବାଦିକ ସମ୍ମିଳନୀରେ ଏହି ଖବରକୁ ସ୍ପଷ୍ଟ କରିଛନ୍ତି ।
ଏସପିଙ୍କ ଅନୁଯାୟୀ, ଗତ ଜାନୁଆରୀ ୨୯ ତାରିଖରେ ଅନ୍ୱେଷକୁ ହତ୍ୟା କରାଯାଇଛି । ଅନ୍ୱେଷର ଘର ଓଡ଼ିଶା ସୀମାନ୍ତ ଛତିଶଗଡ଼ ବିଜାପୁରରେ । ମାଓ ନେତା ଶୁକ୍ରୁ ହତ୍ୟା କରି ମାଟିରେ ପୋତି ଦେଇଥିଲା । ସୁରକ୍ଷାବାହିନୀ ଅନ୍ୱେଷର ମୃତଦେହ ମାଟିରୁ ଖୋଳି ବାହାର କରିବା ପରେ ବ୍ୟବଛେଦ ପାଇଁ ପଠାଇ ଦେଇଛି । ଅନ୍ୱେଷ ମୃତଦେହର ଶବ ବ୍ୟବଚ୍ଛେଦ କରାଯାଇଛି । ତେବେ ଶୁକ୍ରୁ ନାଁରେ ଦାରିଙ୍ଗବାଡି ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଛି । ସୁରକ୍ଷାବାହିନୀ ଦୀର୍ଘଦିନ ହେବ ଅନ୍ୱେଷକୁ ଖୋଜୁଥିଲା । ତା ମୁଣ୍ଡ ଉପରେ ୨୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା । ସରକାରଙ୍କ ଆହ୍ୱାନ ପରେ ନିଜ ସାଥୀଙ୍କ ସହିତ ଅନ୍ୱେଷ ଆତ୍ମସମର୍ପଣ କରିବାକୁ ଚାହୁଁଥିବାରୁ ଶୁକ୍ରୁ ତାକୁ ହତ୍ୟା କରିଥିବା ଏସପି କହିଛନ୍ତି ।
ଶୁକ୍ରୁ ଷ୍ଟେଟ୍ କମିଟି ମେମ୍ବର ଅଟେ । କନ୍ଧମାଳରେ ଥିବା ୩୦-୩୫ ମାଓବାଦୀଙ୍କ ମଧ୍ୟରେ ଶୁକ୍ରୁ ରହିଛି । ତାକୁ ଧରିବାକୁ କନ୍ଧମାଳ ଜିଲ୍ଲା ପୋଲିସ ପକ୍ଷରୁ ଗତ ୨୦ ତାରିଖଠାରୁ ତଲାସୀ ଅଭିଯାନ ଜାରି ରହିଛି ।