ଜଗତସିଂହ: ମହାବିଷୁବ ସଂକ୍ରାନ୍ତି ଝଙ୍କଡ଼ର ଅଧିଷ୍ଟ୍ରତି ଦେବୀ ମା’ ଶାରଳାଙ୍କ ପୀଠରେ ଝାମୁଯାତ୍ରା ମହାସମାରୋହରେ ପାଳନ କରାଯାଉଛି। ଓଡ଼ିଆ ନବବର୍ଷ ଅବସରରେ ଆଜି ସକାଳ ୪ ଘଟିକା ସମୟରେ ମନ୍ଦିର ପହଡ଼ ଖୋଲବା ପରେ ମା’ଙ୍କୁ ମଙ୍ଗଳ ଆଳତି କରି ମାର୍ଜନ କରାଯାଇଥିଲା।। ସକଳ ୫ଘଟିକା ପରଠାରୁ ମା’ ଭକ୍ତ ମାନଙ୍କୁ ଦର୍ଶନ ଦେଇଥିଲେ ।
ମଧ୍ୟାହ୍ନ ସମୟରେ ମା’ ଶାରଳାଙ୍କ ଚଳତି ପ୍ରତିମାକୁ ଏକ ବିଭାନରେ ଏକ ଶୋଭା ଯାତ୍ରାରେ ବାହାରି ଘଣ୍ଟ ପାଟୁଆ ମାନଙ୍କ ସହ ମା’ ଙ୍କ ପୁରାତନ ପୀଠ ନଣ୍ଡା ଦେଉଳରେ ପହଞ୍ଚିଥିଲେ। ସେଠାରେ ମା’ଙ୍କ ଝାମୁ ଖେଳ ଅନୁଷ୍ଠିତ ହୋଇଥିଲା। ମୀନ ସଙ୍କରାନ୍ତି ଠାରୁ ପଣା ସଂକ୍ରାନ୍ତି ପର୍ଯ୍ୟନ୍ତ ଏହି ଘଟ ପାଟୁଆ ମାନେ ଗ୍ରାମ ପରିଭ୍ରମଣ କରିଥାନ୍ତି। ଆଜି ପଣାସଂକ୍ରନ୍ତି ଦିନ ଘଣ୍ଟ ପାଟୁଆ ମାନେ ନଣ୍ଡା ଦେଉଳରେ ଝାମୁ ଖେଳି ନିଜର ନିଷ୍ଠା ପରାକାଷ୍ଠାର ପ୍ରମାଣ ଦେଇଥାନ୍ତି। ଘଣ୍ଟ ପାଟୁଆ ମାନେ ଜଳନ୍ତା ଅଗ୍ନି ମଧ୍ୟରେ ଚାଲି ମାଙ୍କ ଘଟ ବିସର୍ଜନ କରାଇଥାନ୍ତି, ପରେ ମା’ ମନ୍ଦିରକୁ ଫେରିଥାନ୍ତି। ଆଜି ପର୍ବରେ ମନ୍ଦିରରେ ପହଡ ପଡ଼ି ନଥାଏ । ଆଜି ମା ଦିନ ସାରା ଭକ୍ତ ମାନଙ୍କୁ ଦର୍ଶନ ଦେଇଥାନ୍ତି ।
ଆଜି ମା ଶାରଳାଙ୍କ ଏହି ପର୍ବରେ ହଜାର ହଜାର ଶ୍ରଦ୍ଧାଳୁ, ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା। ଭିଡ ନିୟନ୍ତ୍ରଣ ଏବଂ ପ୍ରଚଣ୍ଡ ରୁଦ୍ର ତାପରୁ ରକ୍ଷା ପାଇବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଅଛି। ରୌଦ୍ର ତାପରୁ ରକ୍ଷା ପାଇଁ ମନ୍ଦିର ପରିସରକୁ ନଡ଼ିଆ ବରଡ଼ାର ଆଚ୍ଛ୍ୟଦିତ କରାଯାଇଛି। । ଭକ୍ତଙ୍କ ପାଇଁ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଦହି ପଣାର ବ୍ୟବସ୍ଥା କରାଯାଇଛି।।