ମୟୁରଭଞ୍ଜ: କାକାବନ୍ଧ ଆଶ୍ରମରେ ଝାଡ଼ାବାନ୍ତି ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଛି। ଏହି ଘଟଣା କାର୍ଯ୍ୟାନୁଷ୍ଠାନ ସ୍ୱରୂପ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି। ଅତିରିକ୍ତ ଜିଲ୍ଲାପାଳ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବନ କରିଛନ୍ତି। ଏଥିସହ ମୃତ ଛାତ୍ରୀଙ୍କ ପରିବାରକୁ ୩ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ରାଶି ଘୋଷଣା କରାଯାଇଛି। ମୋରଡା ବିଧାୟକ ତଥା ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଭେଟିଛନ୍ତି।
ରବିବାର ମୟୁରଭଞ୍ଜ ରାସଗୋବିନ୍ଦପୁର ବ୍ଲକ ଅନ୍ତର୍ଗତ ଗାଁ ଅମର୍ଦା ପଞ୍ଚାୟତସ୍ଥ କାକବନ୍ଧ ଆଶ୍ରମ ବିଦ୍ୟାଳୟରେ ବିଷାକ୍ତ ଖାଦ୍ୟ ଖାଇ ୧୪୫ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡିଥିଲେ। ଝାଡ଼ା, ବାନ୍ତି, ଜର, ମୁଣ୍ଡ ଓ ପେଟବ୍ୟଥାରେ ଶିକାର ହୋଇ ସେମାନେ ଏବେ ଚିକିତ୍ସାଧୀନ ଅଛନ୍ତି। ସ୍ଥାନୀୟ ବିଧାୟକ ତଥା ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଡ଼ କୃଷ୍ଣଚନ୍ଦ୍ର ମହାପାତ୍ର ରାତି ଅଧରେ ଆସି ରାସଗୋବିନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଚିକିତ୍ସାଧୀନ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ଭେଟିବା ସହ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି।
ପରେ ଜିଲ୍ଲାପାଳଙ୍କୁ ଦୁଇଟି ସ୍ୱତନ୍ତ୍ର ଟିମ୍ ଭେଟି କାକବନ୍ଧ ଆଶ୍ରମ ସ୍କୁଲକୁ ପରିଦର୍ଶନ କରିବା ସହିତ ସ୍ଥିତି ସମୀକ୍ଷା କରି କେଉଁ ପରିସ୍ଥିତିରେ ଏତେ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହେଲେ ତାର ତଦନ୍ତ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏଭଳି ପରିସ୍ଥିତି ପାଇଁ ଯିଏ ବି ଦାୟୀ ରହିବେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ନିକଟସ୍ଥ ରସଗୋବିନ୍ଦପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି ଚିକିତ୍ସା କରାଯାଉଥିବା ବେଳେ ସ୍ୱାସ୍ଥ୍ୟ ସମସ୍ୟାର ସୁଧାର ନହେବାରୁ ଗତକାଲି ସନ୍ଧ୍ୟାରେ ୫୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ରୂପାଲି ବେଶ୍ରା ନାମକ ଏକ ଗୁରୁତର ଛାତ୍ରୀ ଆଇସିୟୁରେ ଭର୍ତ୍ତି ହୋଇଥିଆବ ବେଳେ ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ତେବେ ଛାତ୍ରଛାତ୍ରୀମାନେ ଖାଇଥିବା ଖାଦ୍ୟର ଟେଷ୍ଟ ରିପୋର୍ଟ ଦୁଇତିନି ଦିନ ମଧ୍ୟରେ ଆସିଲେ ପ୍ରକୃତ ତଥ୍ୟ ଜଣାପଡ଼ିବ ବୋଲି ସି.ଡି.ଏମ.ଓ କହିଛନ୍ତି।