ଆଜି ହେଉଛି ଓଡ଼ିଆ ନବବର୍ଷ ଏବଂ ମହାବିଷୁବ ସଂକ୍ରାନ୍ତି ବା ଓଡ଼ିଶାରେ ପାଳିତ ହେଉଥିବା ପଣା ସଂକ୍ରାନ୍ତି । ଉତ୍କଳୀୟ ପର୍ବପର୍ବାଣୀର ଅୟମାରମ୍ଭ । ଘରେ ଘରେ ନବ ବର୍ଷ ପାଇଁ ବେଶ ଉତ୍ସାହ । ସେପଟେ ପଣା ସଂକ୍ରାନ୍ତିରେ ବିଭିନ୍ନ ପ୍ରକାର ପଣାର ମଜା ନେଉଛନ୍ତି ପ୍ରତି ଓଡ଼ିଆ । ରାଜ୍ୟଠାରୁ ଆରମ୍ଭ କରି ବିଦେଶରେ ରହୁଥିବା ପ୍ରତ୍ୟେକ ଓଡ଼ିଆ ଅତି ଗର୍ଭର ସହିତ ପାଳନ କରୁଛନ୍ତି ଓଡ଼ିଆ ନବବର୍ଷ । ସେପଟେ ମା ତାରିଣୀଙ୍କ ଠାରୁ ଆରମ୍ଭ କରି ପ୍ରଭୁ ଜଗନ୍ନାଥଙ୍କ ନିକଟରେ ଅନୁଷ୍ଠିତ ହେଉଛି ସ୍ୱତନ୍ତ୍ର ନୀତିକାନ୍ତି ।
ଓଡ଼ିଆ ନବବର୍ଷ, ଉତ୍କଳୀୟ ସଂସ୍କୃତି ଓ ପରମ୍ପରାର ପ୍ରଥମ ଦିନ । ପଣା ସଂକ୍ରାନ୍ତି (ମହାବିଷୁବ ସଂକ୍ରାନ୍ତି) ଓଡ଼ିଆ ନୂଆ ବର୍ଷ ଭାବରେ ପାଳନ କରାଯାଏ । ଏହା ସାଧାରଣତଃ ଅପ୍ରେଲ ୧୪ (ବୈଶାଖ ୧) ତାରିଖରେ ପଡ଼େ । ଏହି ଦିନଠାରୁ ବସନ୍ତ ଋତୁର ଶେଷ ଓ ଗ୍ରୀଷ୍ମର ଆରମ୍ଭ ହୋଇଥାଏ । ଓଡ଼ିଆ ପଞ୍ଜିକାର ଗଣନା ଅନୁସାରେ ମହାବିଷୁବ ସଂକ୍ରାନ୍ତିକୁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବରେ ଗ୍ରହଣ କରାଯାଏ । ଏହି ଦିନଟିକୁ ଓଡ଼ିଆ ନବବର୍ଷ ଭାବରେ ପାଳନ କରାଯାଏ । ଏହି ସମୟରେ ସୂର୍ଯ୍ୟ କିରଣ ବୃଦ୍ଧି ପାଇବା ସହ ହଜମ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ । ତେଣୁ ଗରିଷ୍ଠ ଖାଦ୍ୟ ସହଜରେ ହଜମ ହୋଇଥାଏ । ସେଥିପାଇଁ ଛତୁଆ ଭଳି ଖାଦ୍ୟ ଖାଇଲେ ତାହା ଅତି ସହଜରେ ହଜମ ହୋଇଯାଇଥାଏ । ଅସହ୍ୟ ଗରଣ ଏବଂ ଦେହର ଅତ୍ୟଧିକ ତାପ ଶକ୍ତିକୁ ଉପସମ କରିବାକୁ ପଣା ପିଆଯାଇଥାଏ ।
ପଣା ପ୍ରସ୍ତୁତି
ପଣା ବିଭିନ୍ନ ପ୍ରକାରର ହୋଇଥାଏ । ବେଲପଣା, ଗହମ ଛତୁଆ ପଣା, ଦହି ପଣା ଇତ୍ୟାଦି । ବେଲପଣାକୁ ପ୍ରସ୍ତୁତ କରିବାର ଶୈଳୀ ହେଉଛି, ପାଚିଲା ବେଲ, କୋରା ନଡ଼ିଆ, କଦଳୀ, ଗୋଲ ମରିଚ ଗୁଣ୍ଡ, ଗୁଡ଼ ଇତ୍ୟାଦିରେ ପାଣି ଦେଇ ଏବଂ ତାକୁ ଭଲ ଭାବରେ ଚକଟି ପଣା ପ୍ରସ୍ତୁତ କରାଯାଇଥାଏ । ଏଥିରେ ପାଣିର ପରିମାଣ ଅଧିକ ରହୁଥିବାରୁ ଏହାକୁ ପିଇବାକୁ ପଡ଼ିଥାଏ । ସେଥିପାଇଁ ଏହାର ନାମକରଣ ଏପରି ହୋଇଛି ।
ସେହିପରି ଗହମ ଛତୁଆ ପଣା ମଧ୍ୟ ବିଶେଷ ଭାବରେ ପ୍ରସ୍ତୁତ କରାଯାଇଥାଏ । ଗହମକୁ ଭଲ ଭାବରେ ଧୋଇ ଏବଂ ଶୁଖାଇ ପ୍ରଥମେ ଭଜା ଯାଏ । ଭଜା ଯାଇଥିବା ଗହମକୁ ଭଲଭାବେ ଗୁଣ୍ଡ କରି ଛତୁଆ ପ୍ରସ୍ତୁତ କରାଯାଇଥାଏ । ଏହା ପରେ ପ୍ରସ୍ତୁତ ଛତୁଆ, କୋରା ନଡ଼ିଆ, କଦଳୀ, ବସା ଦହି, ଗୋଲ ମରିଚ ଗୁଣ୍ଡ, ଗୁଡ଼ ଓ କଟା କଞ୍ଚା ଆମ୍ବ ଆଦି ଦେଇ ତାକୁ ଭଲ ଭାବରେ ଚକଟି ପଣା ପ୍ରସ୍ତୁତ କରାଯାଇଥାଏ ।
ଆଜି ରାଜ୍ୟର ବିଭିନ୍ନ ଶକ୍ତିପୀଠରେ ଝାମୁ ଯାତ୍ରା ହୁଏ । ଚଣ୍ଡୀ, ସାରଳା, ବିରଜା ଆଦି ଠାକୁରାଣୀ ମନ୍ଦିରମାନଙ୍କରେ ଏହି ଦିନ ଝାମୁ ଯାତ ପାଳନ କରାଯାଏ । ଘଣ୍ଟ ପାଟୁଆମାନେ ଘଣ୍ଟ ମୁଣ୍ଡେଇ, କାଠ ଗୋଡ଼ ପିନ୍ଧି ଠାକୁରାଣୀ ମନ୍ଦିର ଆଗରେ ନିଆଁ ଉପରେ ଚାଲିବାର ପ୍ରଥା ରହିଛି । ଦକ୍ଷିଣ ଓଡ଼ିଶାରେ ମାସାଧିକ କାଳ ଧରି ଚାଲିଥିବା ଦଣ୍ଡ ନାଚର ଆଜି ଅନ୍ତିମ ଦିବସ । ଏହି ଅବସରରେ ମେରୁ ଯାତ ପାଳନ କରାଯାଏ । ଉତ୍ତର ଓଡ଼ିଶାରେ ଏହି ଦିନକୁ ଚଡ଼କପର୍ବ ନାମରେ ପାଳନ କରାଯାଏ । ପଣା ସଂକ୍ରାନ୍ତିରେ ଘଟଗାଁର ମା ତାରିଣୀ ସୁନା ବେଶରେ ଦର୍ଶନ ଦେଇଥାଆନ୍ତି ।