କଟକ: ହନୁମାନ ଜୟନ୍ତୀ ଓ ଓଡ଼ିଆ ନବବର୍ଷ ପାଳନକୁ ଦୃଷ୍ଟିରେ ରଖି କଟକ ସହରରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଆଜି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶୋଭାଯାତ୍ରା ଆୟୋଜିତ ହେବାକୁ ଥିବା ବେଳେ ପୁରା ସହରକୁ ପୋଲିସ ଛାଉଣୀରେ ପରିଣତ କରାଯାଇଛି।
କଟକର ଚୌଧୁରୀ ବଜାର ମାରୁତି ମଣ୍ଡପ ନିକଟରୁ ଶୋଭାଯାତ୍ରା ବାହାରି ବିଭିନ୍ନ ମୁଖ୍ୟ ରୁଟ ଦେଇ ଦୋଳମୁଣ୍ଡାଇ ପର୍ଯ୍ୟନ୍ତ ପହଁଚିବ। ଏହି ରୁଟକୁ ଧ୍ୟାନରେ ରଖି କମିଶନରେଟ ପୋଲିସ ପକ୍ଷରୁ ଫ୍ଲାଗ୍ ମାର୍ଚ୍ଚ କରାଯାଇ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି।
ସହରରେ ପ୍ରାୟ ୨୦ ପ୍ଲାଟୁନ ପୋଲିସ ଫୋର୍ସ ସହ ୨୦୦ ରୁ ଅଧିକ ଅଫିସର ମୁତୟନ ହୋଇଛନ୍ତି। ସେଥିପାଇଁ ସିଆରପିଏଫ ଓ ବିଏସଏଫ ଯବାନଙ୍କୁ ମଧ୍ୟ ନିଯୁକ୍ତ କରାଯାଇଛି। ଏହାସହ ସହରର ବିଭିନ୍ନ ସ୍ଥାନରେ ସିସିଟିଭି ଓ ଡ୍ରୋନ କ୍ୟାମେରା ମାଧ୍ୟମରେ ନଜରଦାରୀ କରାଯିବ ବୋଲି ଡିସିପି ରିଷିକେଶ ଖିଲାରୀ ସୂଚନା ଦେଇଛନ୍ତି।
ଅନ୍ୟପଟେ, ସମ୍ବଲପୁରରେ ମଧ୍ୟ ହନୁମାନ ଜୟନ୍ତୀ ପାଳନକୁ ନେଇ ପୋଲିସ ପ୍ରଶାସନ ହାଇଆଲର୍ଟରେ ରହିଛି। ଶାନ୍ତି ଓ ଶୃଙ୍ଖଳା ରକ୍ଷା ପାଇଁ ସମ୍ବଲପୁର ପୋଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ସମଗ୍ର ରାଜ୍ୟରେ ହନୁମାନ ଜୟନ୍ତୀ ଉତ୍ସବକୁ ଶାନ୍ତିପୂର୍ଣ୍ଣ ଓ ସୁରକ୍ଷିତ ଭାବେ ପାଳନ କରିବାକୁ ପୋଲିସ ପ୍ରଶାସନ ପୂରାପୂରି ପ୍ରସ୍ତୁତ ଥିବା ସୂଚନା ମିଳିଛି।
ଅଧିକ ପଢନ୍ତୁ: ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ