ପଶ୍ଚିମବଙ୍ଗ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ରାଜ୍ୟସଭା ସାଂସଦ ଦିଲ୍ଲୀପ ରାୟଙ୍କ ଆକସ୍ମିକ ସାକ୍ଷାତ ନେଇ ରାଜନୀତିକ ମହଳରେ ଚର୍ଚ୍ଚା ଜୋର ଧରିଛି। ପଶ୍ଚିମବଙ୍ଗର ସିଲିଗୁଡ଼ିରେ ନିର୍ବାଚନ ପ୍ରଚାର ଗସ୍ତରେ ଥିବା ବେଳେ ମୋଦିଙ୍କୁ ଭେଟିଛନ୍ତି ଦିଲ୍ଲୀପ ରାୟ।
ସୂଚନା ଅନୁଯାୟୀ, ସିଲିଗୁଡ଼ିର ମେ ଫେୟାର ରିସର୍ଟରେ ରହଣି ସମୟରେ ଏହି ସାକ୍ଷାତକାର ହୋଇଥିଲା। ରାଜ୍ୟସଭା ସାଂସଦ ଦିଲ୍ଲୀପ ରାୟ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ମଧ୍ୟରେ କିଛି ସମୟ ଧରି ଆଲୋଚନା ହୋଇଥିଲା। ଏନେଇ ଦିଲ୍ଲୀପ ରାୟ ନିଜ ସୋସିଆଲ ମିଡିଆରେ ଫୋଟୋ ପୋଷ୍ଟ କରି ଲେଖିଛନ୍ତି ଯେ, 'ପ୍ରଧାନମନ୍ତ୍ରୀଙ୍କ ଦୂରଦର୍ଶୀ ନେତୃତ୍ୱ, ଦେଶ ପ୍ରତି ଅଟୁଟ ପ୍ରତିବଦ୍ଧତା ଓ ଉତ୍ସର୍ଗୀକୃତ ଭାବନା ସମସ୍ତଙ୍କୁ ପ୍ରେରଣା ଦେଉଛି। ଏମିତି ଜଣେ ନେତାଙ୍କୁ ସାକ୍ଷାତ କରି କଥା ହେବା ତାଙ୍କ ପାଇଁ ଗର୍ବର ବିଷୟ' ବୋଲି ସେ କହିଛନ୍ତି।
ତେବେ ଉଭୟଙ୍କ ଏହି ସାକ୍ଷାତକାର କେବଳ ଔପଚାରିକ ନା କି ଏହାର ପଛରେ ରହିଛି କୌଣସି ବଡ଼ ରାଜନୀତିକ ସନ୍ଦେଶ, ତାହାକୁ ନେଇ ଆଗାମୀ ଦିନରେ ଚର୍ଚ୍ଚା ଆହୁରି ବୃଦ୍ଧି ପାଇବା ନିଶ୍ଚିତ।