ଭୁବନେଶ୍ୱର: ରାଜ୍ୟର ପଞ୍ଚାୟତ ରାଜନୀତିରେ ନୂଆ ଟ୍ୱିଷ୍ଟ ଦେଖିବାକୁ ମିଳିଛି। ପଞ୍ଚାୟତ ନିର୍ବାଚନ ପାଇଁ ଆସନ ସଂରକ୍ଷଣ ପ୍ରକ୍ରିୟାକୁ ସରକାର ହଠାତ୍ ସ୍ଥଗିତ କରିଦେଇଛନ୍ତି। ଏପ୍ରିଲ୍ ମାସରେ ହେବାକୁ ଥିବା ସଂରକ୍ଷଣ କାର୍ଯ୍ୟ ଏବେ ଅନିଶ୍ଚିତତାରେ ପଡ଼ିଛି। ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଏନେଇ ନୂତନ ନିର୍ଦ୍ଦେଶନାମା ଜାରି ହୋଇଥିବା ବେଳେ ସମସ୍ତ ଜିଲ୍ଲା ପ୍ରଶାସନକୁ ଏହା ସୂଚିତ କରାଯାଇଛି।
ପୂର୍ବରୁ ୱାର୍ଡମେମ୍ବର, ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଦସ୍ୟ ଓ ଅଧ୍ୟକ୍ଷ ପଦ ପାଇଁ ସଂରକ୍ଷଣ ନିର୍ଣ୍ଣୟ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଏପ୍ରିଲ ୬ ତାରିଖରେ ଏନେଇ ଚିଠି ମଧ୍ୟ ପଠାଯାଇଥିଲା ଏବଂ ଏପ୍ରିଲ ୨୦ ମଧ୍ୟରେ ନିର୍ବାଚନ କମିଶନଙ୍କୁ ଚୂଡାନ୍ତ ରିପୋର୍ଟ ଦେବାକୁ କୁହାଯାଇଥିଲା। କିନ୍ତୁ ହଠାତ୍ ନିଷ୍ପତ୍ତି ପରିବର୍ତ୍ତନ ସରକାରଙ୍କ ଉଦ୍ଦେଶ୍ୟକୁ ନେଇ ପ୍ରଶ୍ନ ଉଠାଇଛି। ପ୍ରଶାସନିକ କାରଣ, ଆଇନଗତ ଜଟିଳତା କିମ୍ବା ରାଜନୈତିକ ହିସାବ, କ’ଣ ଥାଇପାରେ ଏହି ପଛର କାରଣ? ଏହାକୁ ନେଇ ରାଜନୀତିକ ମଞ୍ଚରେ ଚର୍ଚ୍ଚା ହେଉଛି। ପଞ୍ଚାୟତ ନିର୍ବାଚନ ଆସନ ସଂରକ୍ଷଣ ପ୍ରକ୍ରିୟାର ସ୍ଥଗିତ ନିଷ୍ପତ୍ତି ପରେ ଏବେ ସମସ୍ତଙ୍କ ନଜର ସରକାରଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ରହିଛି।