S-400 ସ୍କ୍ୱାଡ୍ରନକୁ କେବଳ ଦିଲ୍ଲୀ-NCR ର ସୁରକ୍ଷା ପାଇଁ ନିୟୋଜିତ କରାଯିବ। ଏହି ୟୁନିଟ୍ ରାଜଧାନୀର ସୁରକ୍ଷା କରିବା ସହିତ ଆବଶ୍ୟକ ସମୟରେ ପଶ୍ଚିମ କିମ୍ବା ଉତ୍ତର ସୀମାକୁ ଅତି ଶୀଘ୍ର ପଠାଯାଇପାରିବ। ଦିଲ୍ଲୀ-NCR ପାଇଁ ଉଦ୍ଦିଷ୍ଟ ଏହି ସ୍କ୍ୱାଡ୍ରନ ଦ୍ୱିବିଧ ଭୂମିକା ନିର୍ବାହ କରିବ। ଏପଟେ ସ୍ଥାୟୀ ସୁରକ୍ଷା ଏବଂ ଅନ୍ୟପଟେ ଜରୁରୀ ପରିସ୍ଥିତିରେ ତୁରନ୍ତ ମୁତୟନ।
ଭାରତୀୟ ବାୟୁସେନା ଦେଶର ଆକାଶମାର୍ଗର ସୁରକ୍ଷାକୁ ଏକ ନୂତନ ସ୍ତରକୁ ନେବା ପାଇଁ ପ୍ରସ୍ତୁତ ହେଉଛି। ଏହା ଅଧୀନରେ ୧୦ଟି ସ୍କ୍ୱାଡ୍ରନ ବିଶିଷ୍ଟ ଏକ ବଡ଼ ମିସାଇଲ ଡିଫେନ୍ସ ନେଟୱାର୍କ ପ୍ରସ୍ତୁତ କରାଯାଉଛି, ଯାହାର ନାମ 'ସୁଦର୍ଶନ ଚକ୍ର' ରଖାଯାଇଛି। ଏହି ଯୋଜନା ଅନୁଯାୟୀ, ଗୋଟିଏ S-400 ସ୍କ୍ୱାଡ୍ରନକୁ ବିଶେଷ ଭାବରେ ଦିଲ୍ଲୀ-NCR ର ସୁରକ୍ଷା ପାଇଁ ରଖାଯିବ।
ଭାରତୀୟ ବାୟୁସେନା (IAF) ବର୍ତ୍ତମାନ ସୀମିତ ମୁତୟନଠାରୁ ଆଗକୁ ବଢ଼ି ସାରା ଦେଶରେ ଏକ ଶକ୍ତିଶାଳୀ ଏୟାର ଡିଫେନ୍ସ ନେଟୱାର୍କ ଗଢ଼ିବା ଦିଗରେ କାର୍ଯ୍ୟ କରୁଛି।
କେଉଁଠି କେଉଁଠି ହେବ ମୁତୟନ?
ରଣନୈତିକ ଭାବେ ଏହି ମିସାଇଲ ଢାଞ୍ଚାକୁ ବିଭିନ୍ନ ଅଞ୍ଚଳରେ ନିୟୋଜିତ କରାଯିବ:
• ପଶ୍ଚିମ ସୀମା: ରାଜସ୍ଥାନ ଏବଂ ପଞ୍ଜାବ ସେକ୍ଟରରେ ୪ଟି ସ୍କ୍ୱାଡ୍ରନ ଲଗାଯିବ, ଯାହାଫଳରେ ପାକିସ୍ତାନ ପଟୁ ଆସୁଥିବା ଶତ୍ରୁ ବିମାନ ଏବଂ ମିସାଇଲକୁ ବହୁ ଦୂରରୁ ଚିହ୍ନଟ କରି ନଷ୍ଟ କରାଯାଇପାରିବ।
• ଉତ୍ତର ସୀମା: ଚୀନ୍ରୁ ଆସୁଥିବା ବିପଦକୁ ଦୃଷ୍ଟିରେ ରଖି ଲଦାଖ, ଅରୁଣାଚଳ ପ୍ରଦେଶ ଏବଂ ସିକ୍କିମ ଭଳି ଉଚ୍ଚ ପାର୍ବତ୍ୟ ଅଞ୍ଚଳରେ ୫ଟି ସ୍କ୍ୱାଡ୍ରନ ମୁତୟନ କରାଯିବ। ବିଶେଷ କରି ସିଲିଗୁଡ଼ି କରିଡର ଉପରେ ଗୁରୁତ୍ୱ ଦିଆଯିବ, ଯାହା ରଣନୈତିକ ଦୃଷ୍ଟିରୁ ଅତ୍ୟନ୍ତ ସମ୍ବେଦନଶୀଳ।
ରୁଷରୁ ମିଳୁଥିବା S-400 ସିଷ୍ଟମ ଏହି ସମ୍ପୂର୍ଣ୍ଣ ଯୋଜନାର ମେରୁଦଣ୍ଡ ହେବ। ଚତୁର୍ଥ ସ୍କ୍ୱାଡ୍ରନ ମଇ ୨୦୨୬ ସୁଦ୍ଧା ମିଳିବାକୁ ଥିବାବେଳେ, ପଞ୍ଚମ ତଥା ଶେଷ ସ୍କ୍ୱାଡ୍ରନ ବର୍ଷ ଶେଷ ସୁଦ୍ଧା ଆସିଯିବ। ଏହି ମିସାଇଲଗୁଡ଼ିକର ମାରକ କ୍ଷମତା ପ୍ରାୟ ୪୦୦ କିଲୋମିଟର ପର୍ଯ୍ୟନ୍ତ ଅଟେ। ଏହି ନେଟୱାର୍କକୁ ପୂର୍ଣ୍ଣ କରିବାରେ ସ୍ୱଦେଶୀ 'ପ୍ରୋଜେକ୍ଟ କୁଶ' ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।
୨୦୩୦ ସୁଦ୍ଧା ପ୍ରସ୍ତୁତ ହେବ ସମ୍ପୂର୍ଣ୍ଣ ନେଟୱାର୍କ
DRDO ଦ୍ୱାରା ବିକଶିତ ଏହା ଏକ ଦୂରଗାମୀ ଏୟାର ଡିଫେନ୍ସ ପ୍ରଣାଳୀ (ERADS), ଯାହାର ମୂଲ୍ୟ ପ୍ରାୟ ୨୧,୭୦୦ କୋଟି ଟଙ୍କା ବୋଲି କୁହାଯାଉଛି। ୨୦୨୬ରେ ଏହାର M1 ଇଣ୍ଟରସେପ୍ଟରର ପ୍ରାଥମିକ ପରୀକ୍ଷଣ ସଫଳ ହୋଇଛି।
ସୁଦର୍ଶନ ଚକ୍ର ଏକ ହାଇବ୍ରିଡ୍ ଏୟାର ଡିଫେନ୍ସ ସିଷ୍ଟମ ହେବ, ଯେଉଁଥିରେ:
୧. S-400: ଦୂରଗାମୀ ବଡ଼ ବିପଦକୁ ଶେଷ କରିବ।
୨. ପ୍ରୋଜେକ୍ଟ କୁଶ: ଏହାର ସ୍ୱଦେଶୀ ମିସାଇଲଗୁଡ଼ିକ ୧୫୦, ୨୫୦ ଏବଂ ୪୦୦ କିଲୋମିଟର ପରିସର ମଧ୍ୟରେ ଅତିରିକ୍ତ ସୁରକ୍ଷା ସ୍ତର ପ୍ରସ୍ତୁତ କରିବ।
ଅନୁମାନ କରାଯାଉଛି ଯେ, ୨୦୨୮ ରୁ ୨୦୩୦ ମଧ୍ୟରେ ଏହି ସମ୍ପୂର୍ଣ୍ଣ ନେଟୱାର୍କ ପ୍ରସ୍ତୁତ ହୋଇଯିବ ଏବଂ ଦେଶକୁ ଏକ ଶକ୍ତିଶାଳୀ ତଥା ଅଭେଦ୍ୟ ମିସାଇଲ ସୁରକ୍ଷା କବଚ ପ୍ରଦାନ କରିବ।