ପାଟନା: ବହୁ ଆକଳନ ଓ କଳ୍ପନା ଜଳ୍ପନା ମାନସ ମନ୍ଥନ ପରେ ସମ୍ରାଟ ଚୌଧୁରୀ ହେବେ ବିହାରର ନୂଆ ମୁଖ୍ୟମନ୍ତ୍ରୀ । ତାଙ୍କ ନାରେ ମୋହର ବାଜି ସାରିଛି । ନୀତିଶ କୁମାରଙ୍କ ପୁଅ ନିଶାନ୍ତ କୁମାରଙ୍କୁ ଉପମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦିଆଯିବା ନେଇ ଚୂଡାନ୍ତ ହୋଇ ସାରିଛି । ଆସନ୍ତାକାଲି ଅର୍ଥାତ ଏପ୍ରିଲ ୧୫ରେ ପୂର୍ବାହ୍ନ ୧୧ଟାରେ ଲୋକଭବନରେ ଶପଥଗ୍ରହଣ ସମାରୋହ ଆୟୋଜିତ ହେବ । ଏଥିରେ ମୁଖ୍ୟମନ୍ତ୍ରୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ ଶପଥ ନେବେ । ଉପମୁଖ୍ୟମନ୍ତ୍ରୀ ଭାବେ ନିଶାନ୍ତ କୁମାର ଓ ବିଜୟ ଚୌଧୁରୀଙ୍କ ନାଁ ଆପାତତଃ ସ୍ପଷ୍ଟ ହୋଇ ସାରିଛି ।
ବିହାର ରାଜ୍ୟପାଳଙ୍କ ସଚିବ ସୋମବାର ସମ୍ରାଟ ଚୌଧୁରୀଙ୍କ ସହ ସାକ୍ଷାତ କରିଥିଲେ । ଲୋକଭବନରେ ଶପଥ ଗ୍ରହଣ ସମାରୋହରେ କେଉଁ କେଉଁ ନେତା, ମନ୍ତ୍ରୀ ଓ ବିଶିଷ୍ଟ ବ୍ୟକ୍ତି ସାମିଲ ହେବେ ଏହାକୁ ନେଇ ରାଜ୍ୟପାଳଙ୍କ ସଚିବଙ୍କୁ ପୂରା ତଥ୍ୟ ଦିଆଯାଇଛି । ସମ୍ରାଟ ଚୌଧୁରୀ ସମ୍ଭାବିତ ମନ୍ତ୍ରୀଙ୍କ ତାଲିକା ନେଇ ରାଜ୍ୟପାଳଙ୍କ ସଚିବଙ୍କ ସହ ଆଲୋଚନା କରିଛନ୍ତି ।
ସୂଚନାଯୋଗ୍ୟ, ନୀତିଶ କୁମାର ରାଜ୍ୟସଭା ଯିବା ପରେ ବିହାରରେ ମୁଖ୍ୟମନ୍ତ୍ରୀ ପଦ ଖାଲି ପଡିଛି । ନୀତିଶ ଗତ ସପ୍ତାହରେ ସଂସଦର ଉଚ୍ଚସଦନର ସଦସ୍ୟ ରୂପେ ଶପଥ ନେଇଥିଲେ । ମୁଖ୍ୟମନ୍ତ୍ରୀ କିଏ ହେବେ ଏହାକୁ ନେଇ ଦୀର୍ଘ ସମୟ ଧରି ମାରାଥନ ବୈଠକ ଏବଂ ଆଲୋଚନା ଚାଲିଥିଲା । ଅନେକ ନାଁ ସାମ୍ନାକୁ ଆସିଥିଲା, ମାତ୍ର ମୋହର ସମ୍ରାଟ ଚୌଧୁରୀଙ୍କ ନାଁରେ ବାଜିଛି ।
ରାଜ୍ୟର ହେବେ ୨୪ତମ ମୁଖ୍ୟମନ୍ତ୍ରୀ
ସମ୍ରାଟ ଚୌଧୁରୀ ବିହାରର ୨୪ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ସମ୍ରାଟ ଚୌଧୁରୀ ମନ୍ତ୍ରୀ ହେବାଠୁ ନେଇ ମୁଖ୍ୟମନ୍ତ୍ରୀ ହେବା ପର୍ଯ୍ୟନ୍ତ ଯାତ୍ରାରେ ଅନେକ ରେକର୍ଡ ନିଜ ନାଁରେ କରିଛନ୍ତି । ସେ ବିହାରର ଦ୍ୱିତୀୟ ଏମିତି ନେତା ଯିଏ ପ୍ରଥମେ ଉପମୁଖ୍ୟମନ୍ତ୍ରୀ ରହିଥିଲେ ଏବଂ ଏହା ପରେ ମୁଖ୍ୟମନ୍ତ୍ରୀ ହେବେ ।
ବିହାରରେ କର୍ପୁରୀ ଠାକୁର ଏ ପର୍ଯ୍ୟନ୍ତ ଏମିତି ଏକମାତ୍ର ନେତା ଥିଲେ ଯିଏ ପ୍ରଥମେ ଉପମୁଖ୍ୟମନ୍ତ୍ରୀ ହେଲେ ଏବଂ ପରେ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏହା ପୂର୍ବରୁ ରାଜ୍ୟରେ ସୁଶୀଲ କୁମାର ମୋଦୀ, ତାର କିଶୋର ପ୍ରସାଦ, ବିଜୟ କୁମାର ସିହ୍ନା ଓ ତେଜସ୍ୱୀ ଯାଦବ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ହୋଇ ପାରି ନାହାନ୍ତି । ଅନ୍ୟପଟେ ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ରେଣୁ ଦେବୀ ମଧ୍ୟ ମୁଖ୍ୟମନ୍ତ୍ରୀ ହୋଇ ପାରି ନ ଥିଲେ ।