ନୂଆଦିଲ୍ଲୀ: ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ନିର୍ବାଚନୀ ଇସ୍ତାହାର ଘୋଷଣା କରିଛି । ଏଥିରେ ପାର୍ଟି ମହିଳାଙ୍କୁ ମାସିକ ଆର୍ଥିକ ସହାୟତା, ମାଗଣା ଗ୍ୟାସ ସିଲିଣ୍ଡର ଏବଂ କିଷାନ ସମ୍ମାନ ନିଧି ସମେତ ଅନେକ ପ୍ରତିଶ୍ରୁତି ଦେଇଛି । ଖାସ୍ କଥା ବିଜେପି ଲମ୍ବା ସମୟରୁ ଦକ୍ଷିଣ ଭାରତରେ ନିଜର ସ୍ଥିତି ମଜବୁତ କରିବାରେ ଲାଗି ପଡିଛି । ଦଳ ଏଆଇଏଡିଏମକେ ସହ ମିଶି ନିର୍ବାଚନ ଲଢୁଛି ।
କେନ୍ଦ୍ର ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା କହିଛନ୍ତି, ନିର୍ବାଚନୀ ଇସ୍ତାହାରରେ ମୁଖ୍ୟ ବିନ୍ଦୁ ଏଆଇଏଡିଏମକେ ନେତୃତ୍ୱରେ କ୍ଷମତାକୁ ଆସିବା ପରେ ଆମେ ଘରର ପ୍ରତ୍ୟେକ ମହିଳା ମୁଖିଆଙ୍କୁ ପ୍ରତି ମାସରେ ୨ ହଜାର ଟଙ୍କା ସହାୟତା ଦେବୁ ଓ ପ୍ରତି ପରିବାରକୁ ଗୋଟିଏ ଥରରେ ୧୦ ହଜାର ଟଙ୍କା ରାଶି ଦିଆଯିବ । ପ୍ରତି ବର୍ଷ ତିନୋଟି ମାଗଣା ସିଲିଣ୍ଡର ଦେବୁ । ଉଲ୍ଲେଖନୀୟ ତାମିଲନାଡୁରେ ଗୋଟିଏ ପର୍ଯ୍ୟାୟରେ ଏପ୍ରିଲ ୨୩ରେ ମତଦାନ ହେବ ।
ସିସିଟିଭି ଲଗାଯିବ
ଜେଡି ନଡ୍ଡା କହିଛନ୍ତି, ଅପରାଧ ରୋକିବା ପାଇଁ ଆମେ ଜିରୋ ଏଫଆଇଆର ରିପୋର୍ଟିଂ ଆରମ୍ଭ କରିବୁ । ସାକ୍ଷୀମାନଙ୍କ ସୁରକ୍ଷା ଦିଆଯିବାର ବନ୍ଦୋବସ୍ତ କରାଯିବ । ଯୌନ ଶୋଷଣ ଅପରାଧ ସମେତ ଗମ୍ଭୀର ଅପରାଧ ପାଇଁ ସ୍ୱତନ୍ତ୍ର ଫାଷ୍ଟ ଟ୍ରାକ ଅଦାଲତ ସ୍ଥାପନ କରାଯିବ । ବସ, ସ୍କୁଲ ଓ ବିଶ୍ୱ ବିଦ୍ୟାଳୟରେ ପୂରା ସିସିଟିଭି କ୍ୟାମେରା ଲଗାଯିବ । ଆମେ ନିର୍ଭୟା ଫଣ୍ଡର ଉଚିତ୍ ବ୍ୟବହାର କରାଯିବ ।
ବିନା ସୁଧରେ ଦିଆଯିବ ୫୦ ଲକ୍ଷ ଋଣ
ନଡ୍ଡା କହିଛନ୍ତି, ମହିଳାଙ୍କ ନେତୃତ୍ୱାଧିନ ସରକାରୀ କମିିଟି, ସ୍ୱଂୟ ସହାୟକ ଗୋଷ୍ଠୀ ଓ ଛୋଟ ଉଦ୍ୟୋଗକୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ଦିଆଯିବ । ଯୋଗ୍ୟ ମହିଳାଙ୍କୁ ଇ-ସ୍କୁଟର କିଣା ପାଇଁ ୨୫ ହଜାର ଟଙ୍କା ଦିଆଯିବ ।
କୃଷକଙ୍କ ପାଇଁ ଘୋଷଣା
କେନ୍ଦ୍ର ମନ୍ତ୍ରୀ କହିଛନ୍ତି, କୃଷକଙ୍କ ପାଇଁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଆଧାରରେ ମିଳୁଥିବା ୬ ହଜାର ଟଙ୍କା ସହିତ ଆମେ ଆଉ ୩ ହଜାର ଟଙ୍କା ମିଶାଇ ଦେବୁ । ଏହି ହିସାବରେ ପ୍ରତି କୃଷକଙ୍କୁ ବର୍ଷକୁ ମୋଟ୍ ୯ ହଜାର ଟଙ୍କା ଦିଆଯିବ ।