ପୁରୀ: ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ଫଗୁ ଦଶମୀ ପାଇଁ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି। ଆଜିଠାରୁ ଶ୍ରୀମନ୍ଦିରରେ ଏକ ସପ୍ତାହ ଧରି ଦୋଳଉତ୍ସବ ମଧ୍ୟ ଆରମ୍ଭ ହେବ। ମହାପ୍ରଭୁଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ଦୋଳଯାତ୍ରା ଅନ୍ୟତମ ପ୍ରମୁଖ ଯାତ୍ରା। ଫଗୁ ଦଶମୀରେ ଶ୍ରୀମନ୍ଦିରରେ ଆଜି ମଧ୍ୟାହ୍ନ ଧୂପ ଶେଷ ହେବା ପରେ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଭୂଦେବୀ, ଶ୍ରୀଦେବୀ ସ୍ୱତନ୍ତ୍ର ବିମାନରେ ବସି ଶ୍ରୀଜଗନ୍ନାଥ ବଲ୍ଲଭ ମଠକୁ ବିଜେ କରିବେ। ସେଠାରେ ଅବିର ଓ ଫଗୁ ଲାଗି କରାଯିବ।
ବିଶ୍ୱାସ ରହିଛି, ଫାଲଗୁନ ଶୁକ୍ଳ ଦଶମୀରୁ ଚୈତ୍ର କୃଷ୍ଣ ପ୍ରତିପଦା ପର୍ଯ୍ୟନ୍ତ ମହାପ୍ରଭୁଙ୍କୁ ଦର୍ଶନ କଲେ କୋଟି ପୂଣ୍ୟ ମିଳିଥାଏ। ଆଜି ଫଗୁ ଦଶମୀ ଅବସରରେ ମହାପ୍ରଭୁଙ୍କର ଚାଚେରୀ ବେଶ ଓ ଚାଚେରୀ ଭୋଗ ଅନୁଷ୍ଠିତ ହେବ। ଫାଲ୍ଗୁନ ମାସ ଶୁକ୍ଳପକ୍ଷ ଦଶମୀଠାରୁ ତ୍ରୟୋଦଶୀ ପର୍ଯ୍ୟନ୍ତ ୪ ଦିନ ଧରି ପ୍ରତିଦିନ ମଧ୍ୟାହ୍ନ ଧୂପ ପରେ ଏହି ଚାଚେରୀ ବେଶ ହୋଇଥାଏ। ଆସନ୍ତା ଚତୁର୍ଦ୍ଦଶୀ ତିଥି ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ଚାଚେରୀ ବେଶରେ ମହାପ୍ରଭୁ ରକ୍ତବସ୍ତ୍ର ପରିଧାନ କରିବା ସହିତ ବିଭିନ୍ନ ଅଳଙ୍କାରରେ ସଜ୍ଜିତ ହେବେ। ପ୍ରତିଦିନ ମଧ୍ୟାହ୍ନ ଧୂପ ବଢ଼ିବା ପରେ ମହାପ୍ରଭୁଙ୍କୁ ଏହି ବେଶରେ ସଜ୍ଜିତ କରାଯିବ।
ଏହି ବେଶ ଆନନ୍ଦ ଉଲ୍ଲାସମୟ ଦୋଳ ଉତ୍ସବକାଳୀନ ବିଶେଷ ବେଶ ଅଟେ। ଗୁରୁବାର ମଧ୍ୟାହ୍ନ ଧୂପ ସରିବା ପରେ ତିନି ବାଡ଼ରେ ମଇଲମ କରାଯାଇ ଠାକୁରମାନଙ୍କୁ ବୋଇରାଣୀ ମାଧାବଳୀ ନୂତନ ପାଟବସ୍ତ୍ର ଲାଗି କରାଯିବ। ପରେ ସେବାୟତମାନେ ଶ୍ରୀବିଗ୍ରହମାନଙ୍କୁ ଚାଚେରୀ ବେଶରେ ସୁସଜ୍ଜିତ କରାଇବେ। ସାଧାରଣତଃ ଚାଚେରୀ ବେଶରେ ଠାକୁରମାନେ ଲାଲ୍ ବର୍ଣ୍ଣର ବସ୍ତ୍ର ପରିଧାନ କରିଥା’ନ୍ତି।
ଅଧିକ ପଢନ୍ତୁ: ଗତ ବର୍ଷ ଶ୍ରୀମନ୍ଦିରକୁ ମିଳିଛି ୩ କିଲୋ ସୁନା, ୩୩ କିଲୋ ରୁପା, ୧୮ କୋଟି ଟଙ୍କା