ଭୁବନେଶ୍ୱର: ମହାପ୍ରଭୁ ଜଗନ୍ନାଥଙ୍କୁ ମୁକ୍ତ ହସ୍ତରେ ଦାନ କରୁଛନ୍ତି ଶ୍ରଦ୍ଧାଳୁ । ଦାନ ହୁଣ୍ଡିରୁ କୋଟି କୋଟି ଟଙ୍କା ସଂଗ୍ରହ ସହିତ କେଜି କେଜି ସୁନା ମଧ୍ୟ ମିଳୁଛି । ଗତବର୍ଷ ଅର୍ଥାତ ୨୦୨୫ରେ ଶ୍ରୀଜଗନ୍ନାଥ ମନ୍ଦିର ହୁଣ୍ଡିରୁ ୧୮ କୋଟି ୫୯ ଲକ୍ଷ ୨୩ ହଜାର ୭୭୦ଟଙ୍କା ଦାନ ସଂଗ୍ରହ କରାଯାଇଛି । ଭକ୍ତମାନେ ଉକ୍ତ ବର୍ଷରେ ୩କିଗ୍ରା ୪୪୧ଗ୍ରାମ ମିଶ୍ରିତ ସୁନା ଓ ୩୩ କିଗ୍ରା ୬୪୮ଗ୍ରାମ ମିଶ୍ରତ ରୁପା ଅଳଙ୍କାର ଦାନ କରିଛନ୍ତି । ଆଜି ଏ ସମ୍ପର୍କରେ ବିଧାନସଭାରେ ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର ପ୍ରଶ୍ନ କରିଥିଲେ, ଗତ ବର୍ଷ ଶ୍ରୀ ଜଗନ୍ନାଥ ମନ୍ଦିର, ପୁରୀ, ହୁଣ୍ଡୀରୁ କେତେ ଟଙ୍କାର ଦାନ ସଂଗ୍ରହ କରାଯାଇଛି, ଏହା ଛଡା ଭକ୍ତ ମାନେ କେତେ ସୁନା, ରୁପା, ଅନ୍ୟାନ୍ୟ ଅଳଙ୍କାର ଓ ସମ୍ପତି ବାଡି ଜଗନାଥ ମନ୍ଦିରକୁ ଦାନ କରିଛନ୍ତି, ହୁଣ୍ଡିରୁ ଆଦାୟ ହେଉଥିବା ଦାନର କେତେ ଭାଗ ମନ୍ଦିରକୁ ଯାଏ ଓ କେତେ ଭାଗ ଜଗନ୍ନାଥଙ୍କ ଅନ୍ୟ ସଂସ୍ଥାକୁ ଯାଏ ?
ଗତବର୍ଷ ଅର୍ଥାତ ୨୦୨୫ରେ ଶ୍ରୀଜଗନ୍ନାଥ ମନ୍ଦିର ହୁଣ୍ଡିରୁ ୧୮ କୋଟି ୫୯ ଲକ୍ଷ ୨୩ ହଜାର ୭୭୦ଟଙ୍କା ଦାନ ସଂଗ୍ରହ କରାଯାଇଛି । ଭକ୍ତମାନେ ଉକ୍ତ ବର୍ଷରେ ୩ କିଲୋ ୪୪୧ଗ୍ରାମ ମିଶ୍ରିତ ସୁନା ଓ ୩୩ କିଲୋ ୬୪୮ଗ୍ରାମ ମିଶ୍ରିତ ରୁପା ଅଳଙ୍କାର ଦାନ କରିଛନ୍ତି ।
ସେହିପରି ୧୯୮୧ ରୁ ୨୦୨୪-୨୫ ସୁଦ୍ଧା ଶ୍ରୀମନ୍ଦିର ଦାନ ହୁଣ୍ଡିରୁ ମୋଟ ୫୮ କେଜି ୩୧୭ ଗ୍ରାମ ସୁନା ମିଳିଛି । ସେହିପରି ୧୫୮ କେଜି ୮୩୬ ଗ୍ରାମ ରୁପା ସଂଗ୍ରହ ହୋଇଛି। ସେହିଭଳି ୨୦୧୧ରୁ ୨୦୨୫ ଭିତରେ ଶ୍ରୀମନ୍ଦିର ହୁଣ୍ଡି ଏବଂ ଅନ୍ୟ ଦାନରୁ ୩୦୪ କୋଟି ୫୭ ଲକ୍ଷ ଆଦାୟ ହୋଇଛି।