ଭୁବନେଶ୍ୱର: ରାଜ୍ୟରେ ଦିନକୁ ବଢ଼ି ବଢ଼ି ଚାଲିଛି ଧଳା ଜହର ବେପାର । ଯୁବପୀଢ଼ିଙ୍କୁ ପାଗଳ କରୁଛି ବ୍ରାଉନ ସୁଗାର ନିଶା । ବିଗତ ୩ ବର୍ଷରେ ଜବତ ହୋଇଛି କେଜି କେଜି ବ୍ରାଉନ ସୁଗାର ଏବଂ ୧୬୪୨ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଏ ନେଇ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗୃହରେ ଲିଖିତ ଉତ୍ତର ରଖିଛନ୍ତି ।
ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ପ୍ରଶ୍ନ କରିଥିଲେ ଯେ ବିଗତ ତିନି ବର୍ଷରେ କେତେ ବ୍ରାଉନ ସୁଗାର ଜବତ ହୋଇଛି ଏବଂ କେତେ ଜଣ ଗିରଫ ହୋଇଛନ୍ତି । ଯାହାର ଉତ୍ତର ମନ୍ତ୍ରୀ ସୂଚନା ଦେଇଛନ୍ତି, ୨୦୨୨-୨୩ ବର୍ଷରେ ୩୨ କିଲୋ ୮୨୬ ଗ୍ରାମ ଜବତ ହୋଇଥିଲା । ଯେଉଁଥିରେ ୩୮୨ ଜଣ ଗିରଫ ହୋଇଛନ୍ତି । ସେହିପରି ୨୦୨୩-୨୪ ବର୍ଷରେ ୩୪ କିଲୋ ୪୨୬ ଗ୍ରାମ ଜବତ ହୋଇଥିବାବେଳେ ୪୪୮ ଜଣ ଗିରଫ ହୋଇଛନ୍ତି । ସେହିପରି ୨୦୨୪-୨୫ ବର୍ଷରେ ୨୮ କିଲୋ ୫୭୫ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଥିଲା ବେଳେ ୩୬୧ ଜଣ ଗିରଫ ହୋଇଛନ୍ତି । ୨୦୨୫-୨୬ ବର୍ଷରେ ଏଯାବତ ୪୦ କିଲୋ ୨୭୮ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଥିବାବେଳେ ୪୫୧ ଜଣ ଗିରଫ ହୋଇଛନ୍ତି ।
ଅନୁଗୁଳ, ବାଲେଶ୍ୱର, ଭୁବନେଶ୍ୱର, କଟକ, ଜଗତସିଂହପୁର, ଖୋର୍ଦ୍ଧା ଏବଂ ପୁରୀ ଜିଲ୍ଲା ବ୍ରାଉନ ସୁଗାର ବେପାରର ହବ୍ ପାଲଟିଛି । ତେବେ ବ୍ରାଉନ ସୁଗାର ବେପାରକୁ ବନ୍ଦ କରିବାକୁ ଅବକାରୀ ବିଭାଗ ପକ୍ଷରୁ ନିୟମିତ ଚଢ଼ାଉ କରାଯାଉଥିବା ଅବକାରୀ ମନ୍ତ୍ରୀ ଲିଖିତ ଉତ୍ତର ଦେଇଛନ୍ତି ।