ଭୁବନେଶ୍ୱର: ଆଜି ବଜେଟ୍ ଅଧିବେଶନରେ ପ୍ରଥମ ପର୍ଯ୍ୟାୟର ଶେଷ ଦିନ ଲଗାତର ଷଷ୍ଠ ଦିନ ପାଇଁ ବିଧାନସଭାରେ ଅଚଳାବସ୍ଥା ଜାରି ରହିଛି । ଆଜି ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି । ଚାଷୀ ସମସ୍ୟାକୁ ନେଇ ବିରୋଧୀଙ୍କ ଜିଦ ଆଗରେ ବଳି ପଡ଼ୁଛି ପ୍ରଶ୍ନକାଳ । ଫଳରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉପରେ ଆଲୋଚନା ହୋଇପାରୁ ନାହିଁ ।
ଆଜି ଗୃହ କାର୍ଯ୍ୟ ଆରମ୍ଭରୁ ବିଜେଡ଼ି ପକ୍ଷରୁ ଧାନ ସଂଗ୍ରହ, ମଣ୍ଡି ଅବ୍ୟବସ୍ଥା, ଚାଷୀ ମାରଣନୀତି ନେଇ ନାରାବାଜୀ କରାଯାଇଥିଲା । ସେହିଭଳି କଂଗ୍ରେସ ମଧ୍ୟ ସମାନ ପ୍ରସଙ୍ଗ ଉଠାଇ ହଟ୍ଟଗୋଳ କରିଥିଲା । ଗୃହ ମଧ୍ୟଭାଗରେ ବିରୋଧୀ ସଦସ୍ୟମାନେ ଆସି ହଟ୍ଟଗୋଳ କରିବା ଫଳରେ ବାଚସ୍ପତି ସୁରମା ପାଢ଼ୀ ସାଢ଼େ ୧୧ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ।
ସୂଚନା ଥାଉକି, ଗତ 17 ତାରିଖରୁ ବଜେଟ୍ ଅଧିବେଶନ ଆରମ୍ଭ ହୋଇଥିଲା । ପ୍ରଥମ ଦିନରେ ରାଜ୍ୟପାଳ ଡାକ୍ତର ହରିବାବୁ କମ୍ଭମପାଟୀ ଗୃହରେ ଅଭିଭାଷଣ ରଖିଥିଲେ । ଏହା ପରେ ଦ୍ୱିତୀୟ କାର୍ଯ୍ୟାଦିବସଠାରୁ ଗୃହରେ ଅଚଳାବସ୍ଥା ଜାରି ରହିଛି । ପ୍ରଶ୍ନକାଳ ଏବଂ ଶୂନ୍ୟକାଳ ବାତିଲ ହୋଇଛି । କେବଳ ଗୋଟିଏ ଦିନ ବଜେଟ୍ ଉପସ୍ଥାପନ ହୋଇଥିଲା । ବିଧାନସଭା ଚାଲିବା ପାଇଁ କୋଟି କୋଟି ରାଜସ୍ୱ ଖର୍ଚ୍ଚ ହେଉଛି । କିନ୍ତୁ ଉଭୟ ଶାସକ ଓ ବିରୋଧୀ ଦଳ ଜନତାଙ୍କ ସ୍ୱାର୍ଥ ଅପେକ୍ଷା ନିଜ ସ୍ୱାର୍ଥ ଦେଖୁଥିବା ପ୍ରତୀୟମାନ ହେଉଛି । ଲୋକେ ବିଧାନସଭାର ଗୋଟିଏ ବି ସୂଚନା ପାଇ ପାରୁନାହାଁନ୍ତି ।