ନୂଆଦିଲ୍ଲୀ: ଭାରତୀୟ ରାଷ୍ଟ୍ରୀୟ ଛାତ୍ର ସଂଗଠନ ବା ଏନଏସୟୁଆଇର ଅଧ୍ୟକ୍ଷ ହୋଇଛନ୍ତି ବିନୋଦ ଜାଖଡ଼ । ଶୁକ୍ରବାର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଏମଏସୟୁଆଇର ଅଧ୍ୟକ୍ଷ ନିଯୁକ୍ତି କରିଛନ୍ତି । ଦଳର ମହାସଚିବ କେସି ବେଣୁ ଗୋପାଳ ବିଜ୍ଞପ୍ତି ଜାରି ଏହାର ସୂଚନା ପ୍ରଦାନ କରିଛନ୍ତି । ଜାଖଡ଼ ବରୁଣ ଚୌଧୁରୀଙ୍କ ସ୍ଥାନରେ ନିଯୁକ୍ତି ପାଇଛନ୍ତି ।
ବିନୋଦ ଜାଖଡ଼ ରାଜସ୍ଥାନର ବାସିନ୍ଦା ଅଟନ୍ତି । ବିନୋଦ କଂଗ୍ରେସ ନେତା ସଚ୍ଚିନ ପାଇଲଟଙ୍କ ଅତି ଘନିଷ୍ଠ ବୋଲି କୁହାଯାଉଛି । ତେବେ ଛାତ୍ର ସଂଗଠନର ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବାରେ ସେ ପ୍ରଥମ ରାଜସ୍ଥାନୀ ଅଟନ୍ତି । ସିଏ ରାଜସ୍ଥାନର ଏନଏସୟୁଆଇ ଅଧ୍ୟକ୍ଷ ଦାୟିତ୍ୱ ତୁଲାଉଥିଲେ । ସେ ରାଜସ୍ଥାନ ବିଶ୍ୱ ବିଦ୍ୟାଳୟର ଛାତ୍ର ସଂଘ ସଭାପତି ମଧ୍ୟ ରହିସାରିଛନ୍ତି । ସେ ଛାତ୍ର ଜୀବନରୁ ରାଜନୀତିରେ ପ୍ରବେଶ କରିଛନ୍ତି । ଆରଏସଏସ୍ ବିରୁଦ୍ଧରେ ବିରୋଧ ପ୍ରଦର୍ଶନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଅନେକ ଛାତ୍ର ଆନ୍ଦୋଳନରେ ଜେଲ୍ ମଧ୍ୟ ଯାଇଛନ୍ତି । କଂଗ୍ରେସ ଜାଖଡ଼ଙ୍କୁ ଏନଏସୟୁଆଇର ଅଧ୍ୟକ୍ଷ କରି ଦଳିତଙ୍କୁ ନିଜ ସପକ୍ଷରେ ନେବାକୁ ଚେଷ୍ଟା କରିଛି ।
୧୯୯୪ରେ ଜୟପୁର ଜିଲ୍ଲା ବିରାଟନଗର ଅନ୍ତର୍ଗତ ମେଢ଼ ଗ୍ରାମରେ ବିନୋଦ ଜାଖଡ଼ ଜନ୍ମ ଗ୍ରହଣ କରିଛନ୍ତି । ତାଙ୍କ ବାପା ଜଣେ ମିସ୍ତ୍ରୀ ଅଟନ୍ତି । ସେ ରାଜନୀତି ବିଜ୍ଞାନରେ ସ୍ନାତକ ଏବଂ ପରେ ସ୍ନାତକୋତ୍ତର ହାସଲ କରିଛନ୍ତି । ୨୦୧୮ରେ ସେ ରାଜସ୍ଥାନ ବିଶ୍ୱବିଦ୍ୟାଳୟରେ ସ୍ୱାଧୀନ ପ୍ରାର୍ଥୀଭାବେ ନିର୍ବାଚନ ଲଢ଼ିଥିଲେ ଏବଂ ବିଜୟ ହାସଲ କରିଥିଲେ । ଏହା ପରେ ୨୦୨୪ରେ ରାଜସ୍ଥାନ ଛାତ୍ର ସଂଗଠନ ଅଧ୍ୟକ୍ଷ ହୋଇଥିଲେ ।