ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚଳିତ ବଜେଟରେ ଭିବି ଜି-ରାମ-ଜି ଯୋଜନା ପାଇଁ ୫ ହଜାର ୫ ଶହ ୭୫ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଭାରତ ସରକାର ବିକଶିତ ଭାରତ ରୋଜଗାର ପାଇଁ ଗ୍ୟାରେଣ୍ଟି ଏବଂ ଆଜୀବିକା ମିଶନ (ଗ୍ରାମୀଣ) ଅଧିନିୟମ, ୨୦୨୫ ପ୍ରଣୟନ କରିଛନ୍ତି । ଏହି ଅଧିନିୟମ ଅନୁସାରେ ଭିବି ଜି-ରାମ-ଜି ଯୋଜନା କାର୍ଯ୍ୟକାରୀ ହେବ । ଏହା ବିକଶିତ ଭାରତ ୨୦୪୭ର ଦୀର୍ଘକାଳୀନ ଲକ୍ଷ୍ୟ ସହିତ ଗ୍ରାମୀଣ ନିଯୁକ୍ତିକୁ ସମନ୍ୱିତ କରି ମରେଗା (MGNREGA)ର ବୈଧାନିକ ନବୀକରଣ, ଗ୍ରାମାଞ୍ଚଳରେ ଉତ୍ତରଦାୟିତ୍ୱ, ଭିତ୍ତିଭୂମିର ବିକାଶ ଏବଂ ରୋଜଗାରକୁ ସୁନିଶ୍ଚିତ କରିବ । କେନ୍ଦ୍ରୀୟ ବଜେଟ୍, ୨୦୨୬-୨୭ରେ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ଭିବି ଜି-ରାମ-ଜି “ବିକଶିତ ଭାରତ ରୋଜଗାର ପାଇଁ ଗ୍ୟାରେଣ୍ଟି ଏବଂ ଆଜୀବିକା ମିଶନ (ଗ୍ରାମୀଣ)" ପାଇଁ ୯୫ ହଜାର କୋଟିରୁ ଅଧିକ ଟଙ୍କା ବ୍ୟୟ ବରାଦ କରାଯାଇଛି | ତେଣୁ ଗ୍ରାମୀଣ ପରିବାରଙ୍କ ଆୟକୁ ସୁଦୃଢ଼ କରିବା ଲାଗି ୧୨୫ ଦିନର ରୋଜଗାରର ଗ୍ୟାରେଣ୍ଟି ପ୍ରଦାନ କରିବା ଲାଗି “ବିକଶିତ ଭାରତ – ରୋଜଗାର ପାଇଁ ଗ୍ୟାରେଣ୍ଟି ଏବଂ ଆଜୀବିକା ମିଶନ (ଗ୍ରାମୀଣ)” ଭିବି ଜି-ରାମ-ଜି ଯୋଜନା ଅଧୀନରେ ୫ ହଜାର ୫ ଶହ ୭୫ କୋଟି ଟଙ୍କା ବ୍ୟୟ ବରାଦ ପାଇଁ ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ସେହିପରି "ଭିବି ଜି-ରାମ-ଜି'' ଯୋଜନାର ସମସ୍ତ ଔପଚାରିକତା ଚୂଡ଼ାନ୍ତ ନହେବା ପର୍ଯ୍ୟନ୍ତ, ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (MGNREGS) ଅଧୀନରେ ଅସମ୍ପୂର୍ଣ୍ଣ କାର୍ଯ୍ୟଗୁଡ଼ିକୁ ସମ୍ପୂର୍ଣ୍ଣ କରିବା ଲାଗି ୧ ହଜାର ୫ ଶହ କୋଟି ଟଙ୍କା ବ୍ୟୟ ବରାଦର ପ୍ରସ୍ତାବ ଦେଉଛି । ଆହୁରି ମଧ୍ୟ, ୯ଟି ଜିଲ୍ଲାର ୩୦ଟି ସ୍ଥାନାନ୍ତରଣ-ପ୍ରବଣ ବ୍ଲକରେ ଦାଦନକୁ ରୋକିବା ପାଇଁ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ମନରେଗାକୁ ଅତିରିକ୍ତ ରାଜ୍ୟ ସହାୟତା" ଅଧୀନରେ ୪ ଶହ କୋଟି ଟଙ୍କା ବ୍ୟୟ ବରାଦର କରିଛନ୍ତି ମୋହନ ସରକାର ।