ଭୁବନେଶ୍ୱର: ଚଳିତ ବଜେଟରେ ରାଜ୍ୟ ସରକାର ସୁସ୍ଥ ଓଡ଼ିଶା-ବିକଶିତ ଓଡ଼ିଶାକୁ ଗୁରୁତ୍ୱ ଦେଇଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପାଇଁ ରାଜ୍ୟ ସରକାର ୨୩ ହଜାର ୧ ଶହ ୮୨ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି । ଯେଉଁଥିରେ କାର୍ଯ୍ୟକ୍ରମ ବ୍ୟୟ ପାଇଁ ୧୭ ହଜାର ୭ ଶହ ୩୭ କୋଟି ଟଙ୍କା ସାମିଲ କରାଯାଇଛି । ସ୍ୱାସ୍ଥ୍ୟ କ୍ଷେତ୍ରରେ ବ୍ୟୟ ମୋଟ ବଜେଟର ୭.୫ ପ୍ରତିଶତରୁ ଅଧିକ ଅଟେ ।
ମୁଖ୍ୟମନ୍ତ୍ରୀ କହିଛନ୍ତି ସୁସ୍ଥ ଓଡ଼ିଶା, ବିକଶିତ ଓଡ଼ିସା ହେଉଛି ସରକାରଙ୍କ ମାର୍ଗଦର୍ଶକ ନୀତି । ସମସ୍ତଙ୍କ ପାଇଁ ନ୍ୟାୟୋଚିତ, ସୁଲଭ ଏବଂ ଗୁଣାତ୍ମକ ସ୍ବାସ୍ଥ୍ୟ ସେବା ସୁନିଶ୍ଚିତ କରିବା ସହ ସାର୍ବଜନୀନ ସ୍ବାସ୍ଥ୍ୟ ସୁରକ୍ଷା ଅଭିମୁଖେ ଦ୍ରୁତ ଗତିରେ ଅଗ୍ରସର ହେଉଛୁ । ଆମେ ମାଗଣା ଏବଂ ସୁନିଶ୍ଚିତ ସ୍ବାସ୍ଥ୍ୟ ସେବା, ମାନବ ସମ୍ବଳର ସୁଦୃଢ଼ୀକରଣ, ଅତ୍ୟାଧୁନିକ ଜନସ୍ବାସ୍ଥ୍ୟ ଭିତ୍ତିଭୂମିର ବିକାଶ, ସେବା ଯୋଗାଣର ସମ୍ପ୍ରସାରଣ, ଚିକିତ୍ସା ବୈଷୟିକ ଜ୍ଞାନକୌଶଳର ବ୍ୟବହାର, ଘରୋଇ ସ୍ବାସ୍ଥ୍ୟ ସେବା ପ୍ରଦାନକାରୀଙ୍କ ବିନିଯୋଗ, ଆୟୁଷ ବ୍ୟବସ୍ଥାକୁ ମୁଖ୍ୟ ସ୍ରୋତରେ ସାମିଲ କରିବା ଏବଂ ସ୍ବାସ୍ଥ୍ୟ କର୍ମୀମାନଙ୍କୁ ବହୁବିଧ ଦକ୍ଷତା ସମ୍ପନ୍ନ କରିବା ଉପରେ ଗୁରୁତ୍ବ ଦେଉଛନ୍ତି ।
ବଢ଼ୁଥିବା ରୋଗୀ ସଂଖ୍ୟାକୁ ଦେଖି ରାଜ୍ୟ ସରକାର ହସ୍ପିଟାଲ ଗୁଡ଼ିକର ଭିତ୍ତିଭୂମି ଗୁଡ଼ିକ ଉପରେ ବେଶ ଗୁରୁତ୍ୱ ପ୍ରଦାନ କରିଛନ୍ତି । ସମସ୍ତ ମେଡ଼ିକାଲ କଲେଜ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୫ ହଜାର ଆଇପିଡି ଶଯ୍ୟା ଯୋଡ଼ାଯିବ । ଏସସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ୧୮୦୦ ଆଇପିଡି ଶଯ୍ୟା କରାଯିବ । ସେହିପରି ୧ ହଜାର ଆଇସିୟୁ ଓ ୫୦୦ ହାଇ ଡିପେଣ୍ଡେନ୍ସି ୟୁନିଟ୍ ଶଯ୍ୟା ସ୍ଥାପନ କରାଯିବ ।
ସେହିପରି ଗୋପବନ୍ଧୁ ଆରୋଗ୍ୟ ଯୋଜନା ପାଇଁ ୪୨୭୯ କୋଟି, ଜାତୀୟ ସ୍ୱାସ୍ଥ୍ୟ ମିଶନ ପାଇଁ ୧ ହଜାର ୯୦୦ କୋଟି ୫୮ କୋଟି, ନିରାମୟ ଯୋଜନା ପାଇଁ ୭୮୬ କୋଟି ଟଙ୍କା, ନିଦାନ ପାଇଁ ୩ ଶହ ୭୧ କୋଟି, ଜରୁରୀକାଳୀନ ଚିକିତ୍ସା ଆମ୍ବୁଲାନ୍ସ ସେବା ପାଇଁ ୧ ଶହ ୯୮ କୋଟି ଟଙ୍କା ଏବଂ ଆଶାକର୍ମୀ କଲ୍ୟାଣ ନିମନ୍ତେ ସ୍ୱାସ୍ଥ୍ୟ ସହାୟ ଯୋଜନା ଅଧୀନରେ ୧୮୩ କୋଟି ବ୍ୟୟବରାଦ କରାଯାଇଛି । ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ମିଶନ ୫ ହଜାର ୮ କୋଟି ବ୍ୟୟବରାଦ କରାଯାଇଛି ।
ସେହିପରି ଏସସିବିର ପୁନର୍ବିକାଶ ପାଇଁ ୧ ହଜାର କୋଟି, ବ୍ରହ୍ମପୁର ଏମକେସିଜି ଓ ବୁର୍ଲା ଭିମସାର ପାଇଁ ୬ ଶହ କୋଟି ଟଙ୍କା ଆବଣ୍ଟନ କରାଯାଇଛି ।
ସେହିପରି ଗଜପତି, ମାଲକାନଗିରି ଏବଂ ରାୟଗଡ଼ାରେ ୩ଟି ଆୟୁର୍ବେଦିକ ମେଡ଼ିକାଲ କଲେଜ ଏବଂ ନୟାଗଡ଼ ଓ ନୂଆପଡ଼ାରେ ଦୁଇଟି ନୂତନ ହୋମିଓପାଥି ମେଡ଼ିକାଲ କଲେ ପ୍ରତିଷ୍ଠା ପାଇଁ ୧ ଶହ ୪୦ କୋଟି ଟଙ୍କାର ପ୍ରସ୍ତାବ ରଖାଯାଇଛି । ସାରା ରାଜ୍ୟରେ ୧୮୦୭ଟି ଅତିରିକ୍ତ ଉପ-କେନ୍ଦ୍ର ପ୍ରତିଷ୍ଠା କରାଯିବ । ଏଥିପାଇଂ ୧୭୬ କୋଟି ଟଙ୍କାର ପ୍ରସ୍ତାବ ରଖାଯାଇଛି ।
ପୁରୀ, ବୁର୍ଲା, କୋରାପୁଟ, ବ୍ରହ୍ମପୁର ଏବଂ କ୍ୟାପିଟାଲରେ ବର୍ଣ୍ଣ ୟୁନିଟ୍ ପ୍ରତିଷ୍ଠା କରାଯିବ । ଏଥିପାଇଁ ୨୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଅଗ୍ନି ନିରାପତ୍ତା ଏବଂ ସୌର ଶକ୍ତି ସ୍ଥାପନ ପାଇଁ ୪୭୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।