କଟକ: କଟକ ପ୍ରେସକଲୋନୀ ଖଟିରେ ଥଟ୍ଟାମଜାରୁ ଯୁକ୍ତିତର୍କ ଓ ପରେ ଗୁଳିକାଣ୍ଡରୁ କ୍ରିକେଟରଙ୍କ ଜୀବନ ଯାଇଛି। ରିଙ୍କୁ ଜେନା ହତ୍ୟା ଘଟଣାର ପର୍ଦ୍ଦାଫାସ୍ କରି ଏଭଳି ସୂଚନା ଦେଇଛନ୍ତି କଟକ ଡିସିପି। ହତ୍ୟା ମାମଲାରେ ସମସ୍ତ ୫ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏହି ଘଟଣାରେ ନାଣ୍ଡୁ ସମେତ ୫ ଅଭିଯୁକ୍ତ ଗିରଫ କରିଛି ପୋଲିସ।ପୋଲିସ କହିବାନୁଯାୟୀ, ଥଟ୍ଟାମଜା ଓ ପରେ ଆରୋପ ପ୍ରତ୍ୟାରୋପରୁ ଗୁଳିମାଡ ହୋଇଛି। ଗୁଳିକାଣ୍ଡ ପରେ ତୁରନ୍ତ ରିଙ୍କୁଙ୍କୁ ହସ୍ପିଟାଲ ନିଆଯାଇ ନଥିଲା। କିପରି ଜଣଙ୍କ ମୁଣ୍ଡରେ ଦୋଷ ଲଦି ଅନ୍ୟମାନେ ଖସିବେ ଯୋଜନା କରିଥିଲେ। ଖସିବା ଯୋଜନା ପାଇଁ ରିଙ୍କୁଙ୍କୁ ହସ୍ପିଟାଲ ନେବା ବିଳମ୍ବ ହୋଇଥିଲା। ତୁରନ୍ତ ମେଡିକାଲ ପହଞ୍ଚାଇଥିଲେ ହୁଏତ ଫଳ କିଛି ଅଲଗା ହୋଇଥାନ୍ତା। ଅଭିଯୁକ୍ତ ହୁକୁ ଓରଫ ଉତ୍କଳ କେଶରୀ ପଶାୟତ୍ ବନ୍ଧୁକ ଧରି ଗୁଳି ଚଳାଇ ଥିଲା। ବନ୍ଧୁକ ଆଣିଥିଲା ନାଣ୍ଡୁ ଓରଫ ଅଭିଜିତ ମହାନ୍ତି। ଘଟଣାର ତଦନ୍ତ ପାଇଁ ଏକାଧିକ ଟିମ୍ ଗଠନ ହୋଇଥିଲା।
ଗତ ୧୮ ତାରିଖ ଘଟଣା ଦିନ ଭୋଜିରେ ୬ ଜଣ ମଦ୍ୟପାନ କରିଥିଲେ। ଉତ୍କଳ କେଶରୀ ପଶାୟତ୍ ବନ୍ଧୁକ ନେଇ ବାହାରକୁ ଯାଇଥିଲା। କୌଣସି କଥାକୁ ନେଇ ପ୍ରଥମେ ଥଟ୍ଟାମଜା ପରେ ଯୁକ୍ତିତର୍କ ହୋଇଥିଲା। ଗୁଳିମାଡ଼ ପରେ ଅନ୍ୟ ଅଭିଯୁକ୍ତମାନେ ତୁରନ୍ତ ସୌମ୍ୟରଞ୍ଜନ ଜେନାଙ୍କୁ ହସ୍ପିଟାଲ ନେଇ ନ ଥିଲେ।
ପରେ ନାଣ୍ଡୁ ଓ ଓମ ମୃତ ସୌମ୍ୟଙ୍କୁ ନିକଟସ୍ଥ ଏକ ଘରୋଇ ହସ୍ପିଟାଲ ନେଇ ଯାଇଥିଲେ। ଗିରଫଙ୍କ ମଧ୍ୟରୁ ଅନେକଙ୍କ ନାଁରେ ଅପରାଧିକ ମାମଲା ରହିଛି। ସେମାନଙ୍କ ଠାରୁ ୨ଟି ସ୍କୁଟି, କାର ସମେତ ମୋବାଇଲ ଫୋନ ଜବତ୍ କରିଛି ପୋଲିସ।
ଅଧିକ ପଢନ୍ତୁ: କଟକରେ ଚାଞ୍ଚଲ୍ୟ; ସାଙ୍ଗ ମାନେ ମିଶି ଭୋଜି କଲାବେଳେ ଯୁବକଙ୍କ ଉପରକୁ ଗୁଳିମାଡ଼, ଚାଲିଗଲା ଜୀବନ