କଟକ ସହରରେ ଚାଞ୍ଚଲ୍ୟ। ସାଙ୍ଗମାନଙ୍କ ସହ ମିଶି ଭୋଜି କଲାବେଳେ ଗୁଳିମାଡ଼। ଏଭଳି ଲୋମହର୍ଷଣକାରୀ ଘଟଣା ଘଟିଛି କଟକ ମଧୁପାଟଣା ଥାନା ନୂଆପଡା ପ୍ରେସ୍ କଲୋନୀରେ। କିଛି ସାଙ୍ଗ ମିଶି ଭୋଜି କରୁଥିବାବେଳେ ସ୍ପଷ୍ଟ ଦିବାଲୋକରେ ଜଣେ ଯୁବକଙ୍କ ଉପରକୁ ଗୁଳିମାଡ଼ ହୋଇଛି।
ମୃତ ଯୁବକ ଜଣକ ସୌମ୍ୟରଞ୍ଜନ ଜେନା ବୋଲି ଜଣାପଡିଛି। ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା, ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ସୌମ୍ୟରଞ୍ଜନଙ୍କ ଛାତିରେ ଗୁଳି ବାଜିଥିଲା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ, କିଏ ଓ କାହିଁକି ଗୁଳି କଲା ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି। ହଠାତ୍ ଗୁଳି ଶବ୍ଦରେ କମ୍ପି ଉଠିଥିଲା ପୁରା ଅଞ୍ଚଳ। କେହି କିଛି ବୁଝିବା ଆଗରୁ ରକ୍ତ ଜୁଡୁବୁଡୁ ହୋଇ ଟଳି ପଡିଥିଲେ ଜଣେ ଯୁବକ।
ମୃତ ସୌମ୍ୟରଞ୍ଜନ ଭଲ କ୍ରିକେଟ ଖେଳନ୍ତି ଏବଂ ତାଙ୍କର କାହା ସହ ଶତ୍ରୁତା ନ ଥିଲା ବୋଲି ସାଙ୍ଗମାନେ କହିଛନ୍ତି। ତେଣୁ କିଏ ଏବଂ କାହିଁକି ତାଙ୍କୁ ଗୁଳି କଲା ତାହା ସ୍ପଷ୍ଟ ହୋଇନି। ପୁଲିସ ତଦନ୍ତ ଜାରି ରଖିଛି। ଏହା ପୂର୍ବ ଶତ୍ରୁତା କାରଣରୁ ଘଟିଛି ନା ଏହା ପଛରେ ଅନ୍ୟ କିଛି କାରଣ ରହିଛି, ତାର ତଦନ୍ତ ଚଳାଇଛି ପୋଲିସ।
ଅଧିକ ପଢନ୍ତୁ: ଭବାନୀପାଟଣା ସହରରେ ଫୁଟିଲା ଗୁଳି; ଠିକାଦାରଙ୍କୁ ମାରିବାକୁ ଉଦ୍ୟମ, ଜଣେ ଗିରଫ