ଭୁବନେଶ୍ୱର: ୨୦୨୭ ସୁଦ୍ଧା ରାଜ୍ୟର ୩ ଲକ୍ଷ ପରିବାରକୁ ମାଗଣା ବିଦ୍ୟୁତ୍ ଯୋଗାଇବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ୩ ଲକ୍ଷ ପରିବାରକୁ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ସାମିଲ କରାଯିବ। ଆଜି ଏନେଇ ଗୃହରେ ଉତ୍ତର ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କେ.ଭି ସିଂହଦେଓ। ବିଜେଡି ବିଧାୟକ ଗଣେଶ୍ୱର ବେହେରାଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଏହା କହିଛନ୍ତି।
ବିଧାନସଭାରେ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାର ଅଗ୍ରଗତି କେତେଦୂର ହେଲା? ୨୦୨୪-୨୫, ୨୦୨୫-୨୬ରେ କେତେଜଣଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି ଏବଂ ଆଗକୁ ଆଉ କେତେଜଣଙ୍କୁ ଏ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ ଏନେଇ ବିଧାୟକ ଗଣେଶ୍ୱର ବେହେରା ପ୍ରଶ୍ନ କରିଥିଲେ। ଗଣେଶ୍ୱରଙ୍କ ପ୍ରଶ୍ନର ଲିଖିତ ଉତ୍ତର ରଖି ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ୨୦୨୭ ସୁଦ୍ଧା ୩ ଲକ୍ଷ ପରିବାରକୁ ମାଗଣା ବିଦ୍ୟୁତ୍ ଯୋଗାଇବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ରାଜ୍ୟରେ ସ୍ୱଚ୍ଛ ଶକ୍ତିର ପ୍ରସାର ପାଇଁ ସରକାର 'ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା'କୁ ଜୋରଦାର କରିଛନ୍ତି।
ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓଙ୍କ ସୂଚନା ଅନୁଯାୟୀ, ୨୦୨୬-୨୭ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରାଜ୍ୟର ୩ ଲକ୍ଷ ପରିବାରକୁ ସୌର ଶକ୍ତି ମାଧ୍ୟମରେ ମାଗଣା ବା କମ୍ ମୂଲ୍ୟରେ ବିଦ୍ୟୁତ୍ ଯୋଗାଇବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ୨୦୨୪-୨୫ ଆର୍ଥିକ ବର୍ଷରେ ୫୦ହଜାର ପରିବାର, ୨୦୨୫-୨୬ ଆର୍ଥିକ ବର୍ଷରେ ୨ ଲକ୍ଷ ୫୦ ହଜାର ପରିବାରକୁ ଅନ୍ତର୍ଭୁକ୍ତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ୧୦ ଫେବୃଆରୀ ୨୦୨୬ ସୁଦ୍ଧା ମିଳିଥିବା ରିପୋର୍ଟ ଅନୁଯାୟୀ, ଓଡ଼ିଶାରେ ୩୬,୫୩୭ଟି ସୌର ପ୍ରକଳ୍ପ ସ୍ଥାପନ କରାଯାଇଛି, ଯାହା ଧାର୍ଯ୍ୟ ଲକ୍ଷ୍ୟର ପ୍ରାୟ ୨୨.୧୪% ଅଟେ। ବର୍ତ୍ତମାନ ସୁଦ୍ଧା ସମୁଦାୟ ୧,୭୯,୮୧୫ ଜଣ ହିତାଧିକାରୀ ଏହି ଯୋଜନା ପାଇଁ ଆବେଦନ କରିସାରିଛନ୍ତି।
ଅଧିକ ପଢନ୍ତୁ: ବଜେଟ୍ ଅଧିବେଶନର ଦ୍ୱିତୀୟ ଦିନରେ ଚାଲିପାରିଲାନି ଗୃହ; ଆସନ୍ତାକାଲି ଯାଏଁ ମୁଲତବୀ ଘୋଷଣା କଲେ ବାଚସ୍ପତି