ନୂଆଦିଲ୍ଲୀ: ଗଞ୍ଜାମ ଜିଲ୍ଲା ହଳଦିପଦର ଦୁର୍ଘଟଣାକୁ ନେଇ ସୁପ୍ରିମକୋର୍ଟ କ୍ଷୁବ୍ଧ । ସୁପ୍ରିମକୋର୍ଟ ସଡ଼କ ନିରାପତ୍ତା କମିଟି ରାଜ୍ୟ ସରକାରଙ୍କୁ ରିପୋର୍ଟ ତଲବ କରିଛନ୍ତି । ମାର୍ଚ୍ଚ ୫ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ କମିଟି ଚିଠି ଲେଖିଛି ।
କମିଟି କହିଛି ଯେ ଜାନୁଆରୀ ୩୧ରେ ବ୍ରହ୍ମପୁର ୧୬ ନମ୍ବର ଜାତୀୟ ରାଜପଥ ହଦଳୀପଦର ନିକଟରେ ରଙ୍ଗ୍ ରୁଟରେ ଆସୁଥିବା ଏକ ଟ୍ରକ୍ ୩ଟି ବାଇକ ଉପରେ ମାଡ଼ି ଯାଇଥିଲା । ଏହା ପରେ ପୋଲକୁ ଧକ୍କା ଦେଇଥିଲା । ଫଳରେ ୫ ଜଣଙ୍କର ମୃତ୍ୟୁ ହେବା ସହିତ ୬ ଜଣ ଗୁରୁତର ଆହତ ହୋଇଥିଲେ । ଗଣମାଧ୍ୟମରୁ ପ୍ରସାରିତ ଖବର ପରେ ସୁପ୍ରିମକୋର୍ଟ ସଡ଼କ ନିରାପତ୍ତା କମିଟି ଏହାକୁ ଗମ୍ଭୀରତାର ସହିତ ନେଇଛନ୍ତି । କେଉଁ ପରିସ୍ଥିତିରେ ଏପରି ଦୁର୍ଘଟଣା ହେଲା ରାଜ୍ୟ ସରକାରଙ୍କୁ ତାର ରିପୋର୍ଟ ମାଗିଛନ୍ତି । ଏହା ସହିତ ରାଜ୍ୟ ସରକାର ଟ୍ରାଫିକ୍ ଆଇନର ଦୁର୍ବଳ କାର୍ଯ୍ୟକାରିତା ଏବଂ ଅତ୍ୟଧିକ ଦ୍ରୁତ ଗତି / ଭୁଲ ପାର୍ଶ୍ୱରେ ଗାଡି ଚାଳନା ଇତ୍ୟାଦି କାରଣରୁ ଘଟୁଥିବା ଦୁର୍ଘଟଣାକୁ ରୋକିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା ଉଚିତ ବୋଲି କମିଟି କହିଛି । ଭବିଷ୍ୟତରେ ଏପରି ଦୁର୍ଘଟଣାକୁ ରୋକିବା ପାଇଁ ରାଜ୍ୟ ଦ୍ୱାରା ଗ୍ରହଣ କରିବାକୁ ପ୍ରସ୍ତାବିତ ସୁରକ୍ଷା ପଦକ୍ଷେପ ରିପୋର୍ଟ ମଧ୍ୟ କମିଟିକୁ ପଠାଇବାକୁ କୁହାଯାଇଛି । ମାର୍ଚ୍ଚ ୫ ତାରିଖ ସୁଦ୍ଧା ସବିଶେଷ ତଥ୍ୟ ଦେବାକୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ରହିଛି ।
ଅନ୍ୟପକ୍ଷରେ ଦିଗପହଣ୍ଡି ବିଜେପି ବିଧାୟକ ମଧ୍ୟ ଦୁର୍ଘଟଣାର ତଦନ୍ତ ଦାବି କରିଛନ୍ତି । ସେ କହିଛନ୍ତି ଡିପିଆର୍ ବଦଳାଯାଇ କାହିଁକି ରାସ୍ତା ନିର୍ମାଣ କରାଯାଇଥିଲା ତାହାର ତଦନ୍ତ ହେବା ଉଚିତ । ଏହା ସହିତ ଦୁର୍ଘଟଣା ଘଟାଇଥିବା ଡ୍ରାଇଭର ପଦ ପିଇ ଭୁଲ୍ ପାର୍ଶ୍ୱରେ ବ୍ରିଜ୍ ଉପରକୁ ଆସି ତିନୋଟି ବାଇକୁ ଧକ୍କା ଦେଇଥିଲା । ତେଣୁ ଏ ସମସ୍ତ ଘଟଣାରୁ ତଦନ୍ତ ଦାବି କରିଛନ୍ତି ସିଦ୍ଧାନ୍ତ ମହାପାତ୍ର ।