ନୂଆଦିଲ୍ଲୀ: ରାଜ୍ୟସଭା ନିର୍ବାଚନ ପାଇଁ ବିଗୁଲ୍ ବାଜିଛି । ବୁଧବାର ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ରାଜ୍ୟସଭାରେ ଖାଲି ହେବାକୁ ଥିବା ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା ହୋଇଛି । ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ ଅନୁଷ୍ଠିତ ହେବ । ଏ ନେଇ ନିର୍ବାଚନ ଆୟୋଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଆସନ୍ତା ଏପ୍ରିଲରେ ରାଜ୍ୟସଭାରେ ୧୦ଟି ରାଜ୍ୟର ଖାଲି ହେବାକୁ ଥିବା ୩୭ ଆସନ ପାଇଁ ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ ଅନୁଷ୍ଠିତ ହେବ । ଫେବୃଆରୀ ୨୬, ଗୁରୁବାର ବିଜ୍ଞପ୍ତି ପ୍ରକାଶ ପାଇବ । ମାର୍ଚ୍ଚ ୫ ତାରିଖ ନାମାଙ୍କନ ଦାଖଲ କରିବାର ଶେଷ ତାରିଖ ରହିଛି । ମାର୍ଚ୍ଚ ୬ ରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ । ମାର୍ଚ୍ଚ ୯ରେ ଅନିଚ୍ଛୁକ ପ୍ରାର୍ଥୀମାନେ ନାମାଙ୍କନ ପ୍ରତ୍ୟାହାର କରିପାରିବେ । ଏହା ପରେ ୧୬ ମାର୍ଚ୍ଚରେ ନିର୍ବାଚନ ଅନୁଷ୍ଠିତ ହେବେ । ସେହିଦିନ ସନ୍ଧ୍ୟା ୫ଟାରେ ଭୋଟ ଗଣତି କରାଯାଇ ଫଳାଫଳ ପ୍ରକାଶ କରାଯିବ । ମାର୍ଚ୍ଚ ୨୦ରେ ନିର୍ବାଚନର ସମସ୍ତ ପ୍ରକ୍ରିୟା ଶେଷ ହେବ ।
ଆସନ୍ତା ଏପ୍ରିଲରେ ଓଡ଼ିଶା ସମେତ ୧୦ଟି ରାଜ୍ୟ ମହାରାଷ୍ଟ୍ର, ଓଡ଼ିଶା, ତାମିଲନାଡ଼ୁ, ପଶ୍ଚିମବଙ୍ଗ, ତେଲେଙ୍ଗାନା, ଆସାମ, ବିହାର, ଛତିଶଗଡ଼, ହରିୟାଣା ଏବଂ ହିମାଚଳ ପ୍ରଦେଶରେ ରାଜ୍ୟସଭା ପଦ ଖାଲି ହେବ । ଏପ୍ରିଲ ୨ ତାରିଖରେ ମହାରାଷ୍ଟ୍ରର ୭, ଓଡ଼ିଶାର ୪, ତାମିଲନାଡ଼ୁର ୬ ଓ ପଶ୍ଚିମବଙ୍ଗର ୫ଟି ଆସନ ଖାଲି ହେବ । ସେହିପରି ଏପ୍ରିଲ ୯ରେ ତେଲେଙ୍ଗାନାର ୨ଟି, ଆସାମର ୩, ବିହାରର ୫, ଛତିଶଗଡ଼ର ୨, ହରିୟାଣାର ୨ ଏବଂ ହିମାଚଳ ପ୍ରଦେଶର ଗୋଟିଏ ଆସନ ଖାଲି ହେବ ।
ଓଡ଼ିଶାରୁ ବିଜେଡ଼ିର ଦୁଇ ସାଂସଦ ମୁନ୍ନା ଖାଁ ଓ ନିରଞ୍ଜନ ବିଶି ଏବଂ ବିଜେପିର ଦୁଇ ସାଂସଦ ସୁଜିତ କୁମାର ଏବଂ ମମତା ମହାନ୍ତଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି ।