ଅହମ୍ମଦାବାଦ: ଆଜି ଟି-୨୦ ବିଶ୍ୱକପ ୨୦୨୬ର ୩୬ତମ ମ୍ୟାଚ୍ ଭାରତ ଓ ନେଦରଲାଣ୍ଡ ମଧ୍ୟରେ ଖେଳାଯିବ । ଏହି ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ । ଦୁଇ ଦଳ ପାଇଁ ଏହା ନିଜ ନିଜର ଶେଷ ଲିଗ୍ ମ୍ୟାଚ୍ । ଏହି ମ୍ୟାଚର ଫଳାଫଳ ଟୁର୍ଣ୍ଣାମେଣ୍ଟରେ କୌଣସି ପ୍ରଭାବ ପକାଉ ନ ଥିଲେ ବି ସୁପର-୮ ପୂର୍ବରୁ ଭାରତ ଏହି ମ୍ୟାଚ୍ ଜିତି ନିଜର ପ୍ରସ୍ତୁତି ଆହୁରି ମଜବୁତ କରିବ । ଅନ୍ୟପଟେ ବିଜୟ ସହ ଟୁର୍ଣ୍ଣାମେଣ୍ଟରୁ ସମ୍ମାନର ସହ ବିଦାୟ ନେବାକୁ ଲକ୍ଷ୍ୟ ରଖିଛି ନେଦରଲାଣ୍ଡ । ଏହି ମ୍ୟାଚରେ ସଭିଙ୍କ ନଜର ଅଭିଷେକ ଶର୍ମାଙ୍କ ଉପରେ ରହିବ । କାରଣ ସେ ଚଳିତ ବିଶ୍ୱକପରେ ଦୁଇଟି ମ୍ୟାଚ୍ ଖେଳି ଖାତା ଖୋଲି ପାରି ନାହାନ୍ତି ।
ଆଜିର ମ୍ୟାଚରେ ଭାରତ ନିଜର ଚୂଡାନ୍ତ ଏକାଦଶରେ ପରିବର୍ତ୍ତନ କରିପାରେ । କଲୋମ୍ବୋରେ ପାକିସ୍ତାନ ବିପକ୍ଷ ମ୍ୟାଚରେ ବାହାରେ ବସିଥିବା ଅର୍ଶଦୀପ ସିଂଙ୍କୁ ଆଜିର ମ୍ୟାଚରେ ସୁଯୋଗ ମିଳିପାରେ । ତାଙ୍କୁ ଅହମ୍ମଦାବାଦର ଦ୍ରୁତ ପିଚରେ ସ୍ପିନର କୁଲଦୀପ ଯାଦବଙ୍କ ସ୍ଥାନରେ ଓହ୍ଲାଯାଇପାରେ । କୁଲଦୀପ ପାକିସ୍ତାନ ବିପକ୍ଷ ମ୍ୟାଚରେ ଭଲ ବୋଲିଂ କରି ଗୋଟିଏ ସଫଳତା ପାଇଥିଲେ । ସେ ମାତ୍ର ୧୪ ରନ ଦେଇଥିଲେ ।
ଅନ୍ୟପଟେ ଅର୍ଶଦୀପ ଚଳିତ ବିଶ୍ୱକପରେ ୨ଟି ମ୍ୟାଚ୍ ଖେଳି ୩ଟି ୱିକେଟ୍ ନେଇଛନ୍ତି । ଭାରତ ସୁପର-୮ ପାଇଁ ଯୋଗ୍ୟତା ଅର୍ଜନ କରି ସାରିଛି । ଆଜିର ମ୍ୟାଚ୍ ସେମିତି କିଛି ପ୍ରଭାବ ନାହିଁ । ତେଣୁ ବେଞ୍ଚରେ ବସିଥିବା ଖେଳାଳିଙ୍କୁ ସୁଯୋଗ ମିଳିପାରେ । ଯଶପ୍ରୀତ ବୁମରା, ହାର୍ଦ୍ଦିକ ପାଣ୍ଡ୍ୟା କିମ୍ବା ଶିବମ ଦୁବେଙ୍କୁ ବିଶ୍ରାମ ଦିଆଯାଇ ୱାଶିଂଟନ ସୁନ୍ଦରଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିପାରେ ।
ଭାରତର ଏମିତି ରହିପାରେ ସମ୍ଭାବିତ ଚୂଡାନ୍ତ ଏକାଦଶ
ଅଭିଷେକ ଶର୍ମା, ଇଶାନ କିଶନ, ତିଳକ ବର୍ମା, ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ରିଙ୍କୁ ସିଂ, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅକ୍ଷର ପଟେଲ, ଅର୍ଶଦୀପ ସିଂ, ଯଶପ୍ରୀତ ବୁମରା, ବରୁଣ ଚକ୍ରବର୍ତ୍ତୀ ।
Also read: ଇତିହାସ ରଚିଲା ଜମ୍ମୁ-କାଶ୍ମୀର, ୬୭ ବର୍ଷରେ ପ୍ରଥମ ଥର ପହଞ୍ଚିଲା ରଣଜୀ ଟ୍ରଫି ଫାଇନାଲରେ