ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍ ୨୦୨୬ରେ କାନାଡାର ଓପନିଂ ବ୍ୟାଟର ଯୁବରାଜ ସାମରା ଐତିହାସିକ ଶତକ ଲଗାଇଛନ୍ତି । ସେ ନ୍ୟୁଜିଲାଣ୍ଡ ବିପକ୍ଷ କର ବା ମର ମ୍ୟାଚରେ ୬୫ ବଲରୁ ୧୧୦ ରନର ଦମଦାର ଇନିଂସ ଖେଳିଥିଲେ । ଏଥିରେ ୬ ଛକା ଓ ୧୧ ଚୌକା ସାମିଲ୍ । ଯୁବରାଜ ସାମରା ଟି-୨୦ ବିଶ୍ୱକପର ଇତିହାସରେ ଶତକ ଲଗାଇବାରେ ସବୁଠୁ କମ ବୟସର ଖେଳାଳି ।
ଏମଏ ଚିଦାମ୍ବରମ ଷ୍ଟାଡିୟମରେ କାନାଡା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଯୁବରାଜ ସାମରା ଓ ଅଧିନାୟକ ଦୀଲପ୍ରୀତ ପ୍ରଥମ ଭାଗିଦାରୀରେ ଶତକୀୟ ରନ ଯୋଡିଥିଲେ । ଦଳର ପ୍ରଥମ ୱିକେଟ୍ ପତନ ୧୧୬ ରନ ସ୍କୋରରେ ହୋଇଥିଲା । ଦୀଲପ୍ରୀତ ବାଜୱା ୩୯ ବଲରୁ ୩୬ ରନ କରିଥିଲେ ।
ଟି-୨୦ ବିଶ୍ୱକପରେ ସବୁଠୁ ଯୁବ ବ୍ୟାଟର ଭାବେ ଶତକ ମାରିବାର ରେକର୍ଡ ପୂର୍ବେ ପାକିସ୍ତାନର ଅହମ୍ମଦ ସେହଜାଦଙ୍କ ନାଁରେ ଥିଲା । ସେ ୨୨ ବର୍ଷ ୧୨୭ ଦିନରେ ୨୦୧୪ ବିଶ୍ୱକପରେ ବାଂଲାଦେଶ ବିପକ୍ଷରେ ମୀରପୁର ଗ୍ରାଉଣ୍ଡରେ ଶତକ ହାସଲ କରିଥିଲେ । ଆଉ ଏହି ରେକର୍ଡ ଭାଙ୍ଗିଛନ୍ତି ସାମରା । ସେ ୧୯ ବର୍ଷ ୧୪୧ ଦିନରେ ୨୦୨୬ ଟି-୨୦ ବିଶ୍ୱକପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଚେନ୍ନାଇରେ ଶତକ ହାସଲ କରିଛନ୍ତି । ଏହି ଇନିଂସରେ ସାମରା ୬୫ ବଲରୁ ୧୧ ଚୌକା ଓ ୬ ଛକା ସହ ୧୧୦ ରନ କରିଥିଲେ ।
ଟି-୨୦ ବିଶ୍ୱକପରେ ସବୁଠୁ କମ ବୟସରେ ଶତକ ମାରିଥିବା ଖେଳାଳି
୧୯ ବର୍ଷ ୧୪୧ ଦିନ - ଯୁବରାଜ ସାମରା (କାନାଡା) ବନାମ ନ୍ୟୁଜିଲ୍ୟାଣ୍ଡ, ଚେନ୍ନାଇ, ୨୦୨୬ଞ୍ଚ
୨୨ ବର୍ଷ ୧୨୭ ଦିନ - ଅହମ୍ମଦ ଶେହଜାଦ (ପାକ୍) ବନାମ ବାଂଲାଦେଶ, ମିରପୁର, ୨୦୧୪
୨୩ ବର୍ଷ ୧୫୬ ଦିନ - ସୁରେଶ ରାଇନା (ଭାରତ) ବନାମ ଦକ୍ଷିଣ ଆଫ୍ରିକା, ଗ୍ରୋସ୍ ଆଇଲେଟ୍, ୨୦୧୦
୨୫ ବର୍ଷ ୮୩ ଦିନ - ଆଲେକ୍ସ ହେଲ୍ସ (ଇଂଲଣ୍ଡ) ବନାମ ଶ୍ରୀଲଙ୍କା, ଚାଟୋଗ୍ରାମ, ୨୦୧୪
୨୫ ବର୍ଷ ୩୨୭ ଦିନ - ଗ୍ଲେନ୍ ଫିଲିପ୍ସ (ନ୍ୟୁଜିଲ୍ୟାଣ୍ଡ) ବନାମ ଶ୍ରୀଲଙ୍କା, ସିଡନୀ, ୨୦୨୨