ଖୋର୍ଦ୍ଧା: ଟାଙ୍ଗୀ ପୋଲିସକୁ ବଡ଼ ସଫଳତା। ଜୁଆ ଆଡ୍ଡାରେ ଅଚାନକ ଚଢ଼ାଉ କରି ୨୦ ଜୁଆଡ଼ିଙ୍କୁ ଗିରଫ କରାଯାଇଛି। ଖୋର୍ଦ୍ଧା ଟାଙ୍ଗୀ ଥାନା ଅଞ୍ଚଳରେ ପୋଲିସ ଏହି ଚଢ଼ାଉ କରିଛି।
ଗତକାଲି ରାତିରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା କୁଞ୍ଜୁରୀ ପଂଚାୟତ କାର୍ଯ୍ୟଳୟ ନିକଟ ଜଙ୍ଗଲରେ ଚାଲିଥିଲା ଜୁଆ ଆଡ୍ଡା। ଖବର ପାଇଁ ପୋଲିସ ଅତର୍କିତ ଚଢ଼ାଉ କରିଥିଲା। ଚଢାଉ ସମୟରେ, କିଛି ଜୁଆଡି ଖସିଯିବାକୁ ଚେଷ୍ଟା କରିଥିଲେ ଏବଂ ପୋଲିସ କର୍ମଚାରୀଙ୍କୁ ଭୟଭୀତ କରିବା ପାଇଁ ଫାଙ୍କା ଗୁଳି ଚାଳନା କରିଥିଲେ ବୋଲି ଅଭିଯୋଗ ହୋଇଛି।
ତେବେ ଘଟଣାସ୍ଥଳରୁ ୨୦ଜଣ ଜୁଆଡ଼ିଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ନଗଦ ୧୦ଲକ୍ଷ ୩୮ହଜାର ୫୦୦ଟଙ୍କା, ଗୋଟିଏ ଦାମୀ କାର, ୪ଟି ବାଇକ, ୨୦ଟି ମୋବାଇଲ ସମେତ ୧୦ମୁଠା ତାସ ଜବତ ହୋଇଛି। ଏଠାରେ ଓଡିଶାର ବିଭିନ୍ନ ଜିଲ୍ଲାର ଜୁଆଡ଼ି ଆସି କୋଟି କୋଟି ଟଙ୍କାର ଜୁଆ ଖେଳନ୍ତି। ଏନେଇ ବିଶେଷ ସୂତ୍ରରୁ ଖବରପାଇ ପୋଲିସ ଚଢାଉ କରି ୨୦ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି।