ସମ୍ଵଲପୁର: ପଞ୍ଚଭୂତରେ ଲିନ ହେଲେ ପୂର୍ବତନ ବିଧାୟିକା ଡ. ରାସେଶ୍ଵରୀ ପାଣିଗ୍ରାହୀ। ସମ୍ଵଲପୁର ରାଜଘାଟରେ ଆର୍ଯ୍ୟସମାଜ ରିତିନିତିରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ପୁତୁରା ସ୍ୱରୂପ ପାଣିଗ୍ରାହୀ ଓ ଦେବାଶିଷ ମିଶ୍ର ତାଙ୍କୁ ମୁଖାଗ୍ନି ଦେଇଛନ୍ତି। ସହରର ଶାନ୍ତିନଗର ସ୍ଥିତ ନିଜ ବାସ ଭବନରେ ପାର୍ଥିବ ଶରୀର ଏକ ବିରାଟ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲା। ରାସ୍ତାରେ ଶୋଭାଯାତ୍ରା ସମୟରେ ବିଭିନ୍ନ ଛକ ଓ ପଡା ମାନଙ୍କରେ ଶହ ଶହ ସଂଖ୍ୟାରେ ଜନସାଧାରଣ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।
ତାଙ୍କ ମରଶରୀର ମନ୍ଦଳିଆ ସ୍ଥିତ ରାଜଘାଟରେ ପହଁଚିବା ପରେ ଆର୍ଯ୍ୟସମାଜର ରିତିନିତି ଅନୁଯାୟୀ ସେଠାରେ ତାଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି। ଏହା ପୁର୍ଵରୁ ଗତକାଲି ରାତିଠୁ ଶାନ୍ତିନଗର ସ୍ଥିତ ତାଙ୍କ ଭଵନରେ ଅନେକ ରାଜନୈତିକ ବ୍ୟକ୍ତି-ବିଶେଷ, ବରିଷ୍ଠ ପ୍ରଶାସନିକ ଓ ପୋଲିସ ଅଧିକାରୀ ପହଂଚି ତାଙ୍କର ଶେଷ ଦର୍ଶନ କରିଥିଲେ।
ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ ଥିଲେ ପଶ୍ଚିମ ଓଡ଼ିଶାର ଜଣେ ପ୍ରଭାବଶାଳୀ ବ୍ୟକ୍ତିତ୍ୱ। ଜଣେ ଦକ୍ଷ ସ୍ତ୍ରୀ ରୋଗ ବିଶେଷଜ୍ଞ ଭାବେ ବୁର୍ଲା ଭିମସାର (VIMSAR) ଏବଂ ସମ୍ବଲପୁରରେ ସେ ଦଶନ୍ଧି ଦଶନ୍ଧି ଧରି ଲୋକଙ୍କ ସେବା କରିଆସିଛନ୍ତି। ୨୦୧୪ ମସିହାରେ ସେ ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ। ନିକଟରେ ସେ ବିଜୁ ଜନତା ଦଳରୁ ଇସ୍ତଫା ଦେଇ ରାଜନୀତିରୁ କିଛିଟା ଦୂରରେ ରହି ସାମାଜିକ କାର୍ଯ୍ୟରେ ନିୟୋଜିତ ଥିଲେ।
ଦୀର୍ଘ ଗୋଟିଏ ବର୍ଷ ହେବ ସେ ସ୍ନାୟୁରୋଗରେ ପିଡିତ ଥିଲେ। ଗତ ୫ ଦିନ ହେବ ସେ ଘରେ ଚିକିତ୍ସିତ ହେଉଥିଲେ। ଗତକାଲି ତାଙ୍କ ସ୍ଵାସ୍ଥ୍ୟବସ୍ଥା ଅଧିକ ଗୁରୁତର ହେବା ସହ ରାତି ୮ ଟା ୫୦ରେ ତାଙ୍କ ପରଲୋକ ହୋଇଥିଲା। ମୃତ୍ୟ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ସେ ମାନେଶ୍ଵର ବ୍ଲକ ବରଗାଁ ଗ୍ରାମରେ ଏକ ସ୍ବାଧିନତା ସଂଗ୍ରାମୀ ପରିବାର ରୁ ୧୯୪୬ ମସିହା ଅକ୍ଟୋବର ୨୮ ତାରିଖ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ବିୟୋଗରେ ସମ୍ବଲପୁର ସହରରେ ଶୋକର ଲହରି ଖେଳି ଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାସେଶ୍ଵରୀଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି।
ଅଧିକ ପଢନ୍ତୁ: ସମ୍ବଲପୁରର ପୂର୍ବତନ ବିଧାୟିକା ଡା.ରାସେଶ୍ୱରୀ ପାଣିଗ୍ରାହୀ ଗୁରୁତର