ସମ୍ବଲପୁର: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ସମାଜସେବୀ ଓ ବିଶିଷ୍ଟ ଚିକିତ୍ସକ ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ ଘଟିଛି। ସୋମବାର ରାତି ୮ଟା ୫୦ରେ ନିଜ ବାସଭବନରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଛି। ତାଙ୍କ ବିୟୋଗରେ ସମ୍ବଲପୁର ସହରରେ ଶୋକର ଲହରି ଖେଳି ଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାସେଶ୍ଵରୀଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି।
ସୋମବାର ସକାଳେ ତାଙ୍କୁ ଠିକ୍ ଭାବେ ନିଃଶ୍ଵା ନେବାରେ ଅସୁବିଧା ହେବାରୁ ଅକ୍ସିଜେନ ସପୋର୍ଟରେ ରଖାଯାଥିଲା। ଫୁସଫୁସ ସଂକ୍ରମଣ ଯୋଗୁଁ ତାଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିଥିଲା। ତାଙ୍କ ବାସଭବନରେ ଡାକ୍ତର କାଞ୍ଚନ ରାୟ ଓ ଅନ୍ୟ ବିଶେଷଜ୍ଞ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଚିକିତ୍ସା ଚାଲିଥିଲା। ହେଲେ ତାଙ୍କର ବିୟୋଗ ଘଟିଛି।
ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ ପଶ୍ଚିମ ଓଡ଼ିଶାର ଜଣେ ପ୍ରଭାବଶାଳୀ ବ୍ୟକ୍ତିତ୍ୱ। ଜଣେ ଦକ୍ଷ ସ୍ତ୍ରୀ ରୋଗ ବିଶେଷଜ୍ଞ ଭାବେ ବୁର୍ଲା ଭିମସାର (VIMSAR) ଏବଂ ସମ୍ବଲପୁରରେ ସେ ଦଶନ୍ଧି ଦଶନ୍ଧି ଧରି ଲୋକଙ୍କ ସେବା କରିଆସିଛନ୍ତି। ୨୦୧୪ ମସିହାରେ ସେ ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ।
ନିକଟରେ ସେ ବିଜୁ ଜନତା ଦଳରୁ ଇସ୍ତଫା ଦେଇ ରାଜନୀତିରୁ କିଛିଟା ଦୂରରେ ରହି ସାମାଜିକ କାର୍ଯ୍ୟରେ ନିୟୋଜିତ ଥିଲେ। ତାଙ୍କ ଅସୁସ୍ଥତା ଖବର ପ୍ରସାରିତ ହେବା ପରେ ସମ୍ବଲପୁର ତଥା ଆଖପାଖ ଅଞ୍ଚଳର ଶୁଭେଚ୍ଛୁ ଏବଂ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ।
Also read: ପ୍ରକାଶ ପାଇଲା ଜେଇଇ ମେନ ରେଜଳ୍ଟ, ଓଡ଼ିଶାରୁ ଭବେଶ ପାତ୍ର ଟପ୍ପର